ହାଇଦ୍ରାବାଦ: ପ୍ରକାଶ ପାଇଛି ଦେଶର କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସସି-2023ର ପରୀକ୍ଷା ଫଳ । ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ ରାଙ୍କ 1ରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଦୋନୁରୁ ଅନନ୍ୟା ରେଡ୍ଡି । ଏହି ପ୍ରଥମ 3 କୃତୀ ଛାତ୍ରଛାତ୍ରୀଙ୍କ ସଂଘର୍ଷ କିପରି ଥିଲା ? ସେ କେଉଁଠୁ ଅଧ୍ୟୟନ କରିଛନ୍ତି ? ସେ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।
ରାଙ୍କ-1ଧାରୀ ଆଦିତ୍ୟ ଶ୍ରୀବାସ୍ତବ:-ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ବାସୀ ହେଉଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଶ୍ରୀବାସ୍ତବଙ୍କ ଏକାଡେମିକ ଯାତ୍ରା ବେଶ ପ୍ରେରଣାଦାୟୀ । ସେ ଲକ୍ଷ୍ନୌର ଆଲିଗଞ୍ଜ ଶାଖା ସିଏମଏସରୁ ସ୍କୁଲ ପାଠ୍ୟକ୍ରମ ଶେଷ କରିବା ପରେ ଦ୍ବାଦଶ ପରୀକ୍ଷାରେ 95 ପ୍ରତିଶତ ମାର୍କ ରଖିଥିଲେ । ଏପରି ପାଠପଢା ତାଙ୍କୁ ଆଇଆଇଟି କାନପୁରରେ ସ୍ଥାନ ଦେଇଥିଲା । ସେଠାରେ ସେ ବି.ଟେକ ଓ ଏମ.ଟେକ ଡିଗ୍ରୀ ହାସଲ କରିଥିଲେ । ଏହାସହିତ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ । ସେ ପାଠପଢା କ୍ଷେତ୍ରରେ ଭଲ ପ୍ରଦର୍ଶନ ଜାରି ରଖିଥିଲେ ସୁଦ୍ଧା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ତୃଣମୂଳ ସ୍ତରରେ କାମ କରି ଲୋକଙ୍କୁ ବିକାଶଧାରାରେ ସାମିଲ କରିବାକୁ ଇଚ୍ଛା ଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି । ଏଥିଲାଗି ସେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିବା ବେଳେ 2022 ୟୁପିଏସି CSEରେ 236 ରାଙ୍କ ଧାରଣ କରିଥିଲେ । ଏହାପରେ ସେ ଆଇପିଏସ ହୋଇଥିବା ବେଳେ ଏବେ ହାଇଦ୍ରାବାଦ ନ୍ୟାସନାଲ ପୋଲିସ ଏକାଡେମୀରେ ଟ୍ରେନିଂରେ ରହିଛନ୍ତି । ପରିବାର ଓ ନିଜର ଅଦ୍ୟମ ଇଚ୍ଛାଶକ୍ତି ବଳରେ ସେ ପୁଣି ଥରେ ପରୀକ୍ଷା ଦେଇ ଆଜି ଟପ୍ପର ହୋଇପାରିଛନ୍ତି ।
ଦ୍ବିତୀୟ ଟପ୍ପର ଓଡ଼ିଆ ପୁଅ ଅନିମେଶ:-ୟୁପିଏସସି ପରୀକ୍ଷାରେ ଦ୍ବିତୀୟ ସ୍ଥାନରେ ରହି ଦେଶରେ ଓଡ଼ିଶାର ନାଁକୁ ଉଚ୍ଚ କରିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ସେ ଆଜି ସାରା ଓଡ଼ିଶାର ପ୍ରତିଟି ଛାତ୍ରଛାତ୍ରୀଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅନିମେଶ ଏନଆଇଟି ରାଉରକେଲାରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ କରିଥିଲେ । ଅନିମେଶ ଅନୁଗୋଳ ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ସବୁଠୁ ଖାସ କଥା ହେଉଛି ଅନିମେଶ ପ୍ରଥମ ଚେଷ୍ଟାରେ ହିଁ ୟୁପିଏସସି କ୍ରାକ୍ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ ହେବା ପାଇଁ ଅନିମେଶ ଅହରହ ପରିଶ୍ରମ କରୁଥିବା ବେଳେ ତାଙ୍କ ଉପରେ ଦୁଃଖର ବାଦଲ ଛାଇଯାଇଥିଲା । କ୍ୟାନ୍ସର ରୋଗରେ ପୀଡ଼ିତ ମା’ ଗତ ମାସରେ ମୃତ୍ୟୁବରଣ କରିଥିଲେ । ପୁଅକୁ ଆଇଏଏସ ଭାବେ ଦେଖିବା ପାଇଁ ମା’ ପ୍ରାର୍ଥନା କରି ଶେଷରେ ପରପାରିକୁ ଚାଲିଯାଇଥିଲେ । କିଛି ବର୍ଷ ଆଗରୁ ବାପାଙ୍କ ବିୟୋଗ ଘଟିଥିବା ବେଳେ ଗତମାସରେ ତାଙ୍କ ମା'ଙ୍କ ମୃତ୍ୟୁ ଘଟିଥିଲା । ଆଜି ଆଇଏଏସ ହେବା ପରେ ମା' ପାଖରେ ନଥିବାରୁ ଅନିମେଶ ବେଶ ଦୁଃଖ ପ୍ରକାଶ କରିଛନ୍ତି ।