ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶରେ ଯୋଗୀ କ୍ୟାବିନେଟ ସମ୍ପ୍ରସାରିତ ହୋଇଛି । ଆଜି 4ନୂଆ ମନ୍ତ୍ରୀଙ୍କୁ ଯୋଗୀ ସରକାରରେ ଦାୟିତ୍ବ ମିଳିଛି । ମୁଖ୍ୟ ଶାସକ ଦଳ ଭାରତୀୟ ଜନତା ପାର୍ଟିରୁ ଦୁଇ ମନ୍ତ୍ରୀ ଥିବା ବେଳେ ଅନ୍ୟ ଦୁଇ ମନ୍ତ୍ରୀ ପଦ ‘ଏସବିଏସପି’ ଓ ‘ଆରଏଲଡି’ ଖାତାକୁ ଯାଇଛି । ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏହି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
ଆଜି ମନ୍ତ୍ରୀ ଭାବେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ମୁଖ୍ୟ ଓମପ୍ରକାଶ ରାଜଭାରଙ୍କ ସମେତ ଚାରିଜଣ ନୂତନ ବିଧାୟକ ଶପଥ ନେଇଛନ୍ତି । ଏହି କ୍ୟାବିନେଟ ବିସ୍ତାରରେ ଆରଏଲଡି ବିଧାୟକ ଅନୀଲ କୁମାର ମଧ୍ୟ ମନ୍ତ୍ରୀ ପଦ ପାଇଛନ୍ତି । ମାର୍ଚ୍ଚ ୨ ତାରିଖରେ ‘ଆରଏଲଡି’ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ଯୋଗ ଦେଇଥିଲା । ସେହିପରି ଦୁଇ ବିଜେପି ନେତାଙ୍କ ମଧ୍ୟରେ ଦାରା ସିଂ ଚୌହାନ ଏବଂ ସୁନୀଲ କୁମାର ଶର୍ମା ମଧ୍ୟ ରାଜ୍ୟ କ୍ୟାବିନେଟରେ ପ୍ରବେଶ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ କ୍ୟାବିନେଟର ଚାରି ଜଣ ନୂତନ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
SBSP, ସମାଜବାଦୀ ପାର୍ଟି (ଏସପି) ସହଯୋଗରେ 2022 ରାଜ୍ୟ ବିଧାନସଭା ନିର୍ବାଚନରେ ଲଢିଥିଲା । କିନ୍ତୁ ପରେ ଉଭୟ ଦଳ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା । ଉତ୍ତର ପ୍ରଦେଶ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏସବିଏସପି ମୁଖ୍ୟ ଓମପ୍ରକାଶ ରାଜଭାର କହିଛନ୍ତି, ‘‘ଆମେ ଗରିବଙ୍କ ସେବା କରିବାର ଲକ୍ଷ୍ୟ ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ । ସେହି ଲକ୍ଷ୍ୟ ପୂରଣ କରିବା ପାଇଁ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ 7 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଦଙ୍ଗା ହୋଇନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରିଛି ।’’