ନୂଆଦିଲ୍ଲୀ: ଜୁଲାଇ ୨୩ରେ ଆସିବ କେନ୍ଦ୍ର ବଜେଟ । ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସୀତାରମଣ । ଏନେଇ ଆଜି (ଶନିବାର) ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଜୁଲାଇ ୨୨ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ଅଧିବେଶନ ହେବ ।
କେନ୍ଦ୍ରମନ୍ତ୍ରୀ ରିଜିଜୁ ସୋସିଆଲ ମିଡିଆ 'X'ରେ କହିଛନ୍ତି, ''ଭାରତ ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୨ରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ ଅଧିବେଶନ ପାଇଁ ସଂସଦର ଉଭୟ ଗୃହକୁ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଜୁଲାଇ ୨୩ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।'' ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଏହି ରେକର୍ଡ ହାସଲ କରିବାରେ ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ହେବେ ।