ଅମରାବତୀ(ଆନ୍ଧ୍ରପ୍ରଦେଶ):ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଓ ନିମ୍ନ ମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ । ତତକାଳୀନ YSRCP ସରକାର ସମୟରେ ଏପରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । ଲଡୁ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ତିରୁମାଳା ତିରୁପତି ଦେବସ୍ତାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ।
ଘିଅ ଗୁଣବତ୍ତା କମ୍ ରହିଛି:
TTD କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ କହିଛନ୍ତି, "ରିପୋର୍ଟରେ କୁହାଯାଇଛି ଯେ ଘିଅରେ ପନି ପରିବା ଏବଂ ପଶୁ ଚର୍ବି ବ୍ୟବହାର ହୋଇଛି । ପଶୁ ଚର୍ବି ମଧ୍ୟରେ ଘୁଷୁରୀ ଚର୍ବି, ଖଜୁରୀ ତେଲ, ଗୋରୁ ଚର୍ବି, ମାଛ ତେଲ, ଅଙ୍ଗୁର ମଞ୍ଜି ଓ ଲିନସିଡ ମିଶ୍ରଣ କରାଯାଉଛି । ଘିଅର ଗୁଣବତ୍ତା ଏସବୁର ଏକ ମିଶ୍ରଣ ଥିଲା । ଶୁଦ୍ଧ ଦୁଗ୍ଧରେ ଚର୍ବି ର ମାତ୍ରା 95.68 ରୁ 104.32 ପ୍ରତିଶତ ମଧ୍ୟରେ ରହିବା ଉଚିତ । କିନ୍ତୁ ଆମର ସମସ୍ତ ଘିଅ ଗୁଣବତ୍ତାର ଭାଲ୍ୟୁ 20 ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଲଡୁ ପାଇଁ ଯୋଗାଇ ଦିଆଯାଇଥିବା ଘିଅ ଅତ୍ୟନ୍ତ ନିମ୍ନମାନର । ଆମେ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ଦଣ୍ଡ ଦେବା ପ୍ରକ୍ରିୟା ଆରମ୍ଭ କରିଛୁ । ଘିଅ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଆମର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛୁ । ଯାହା ଦ୍ବାରା ଆମେ ଆଉ ଏହି ସମସ୍ୟାର ସମ୍ମୁଖୀନ ହେବୁ ନାହିଁ । ଆମକୁ ଏପରି ଘିଅ ଯୋଗାଣକାରୀଙ୍କି ମିଳିଛନ୍ତି ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆମକୁ ବିଶେଷଜ୍ଞ କମିଟି ପକ୍ଷରୁ ନିଜସ୍ୱ ଲ୍ୟାବ ସେଟ୍ ଅପ୍ କରିବାକୁ କହିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହୋଇଯିବ। ''