ନୂଆଦିଲ୍ଲୀ:ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନର ଅନ୍ତିମ କାର୍ଯ୍ୟଦିବସରରେ ଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଭାଷଣରେ ପୂର୍ବ ପରି ସରକାରର ଉପଲବ୍ଧିର ଚିତ୍ର ଦେଖିବାକୁ ମିଳିଛି । ବିରୋଧୀଙ୍କୁ କଡା ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ଆଜି ସମସ୍ତ ସାଂସଦଙ୍କୁ ସଂସଦୀୟ ବ୍ୟବସ୍ଥାରେ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି । ଗତ 5 ବର୍ଷରେ ଦେଶ ବିଭିନ୍ନ କ୍ଷେତ୍ରରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ଗୃହ ପରିଚାଳନାରେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି । କୌଣସି ପରିସ୍ଥିତିରେ ବାଚସ୍ପତି ବିର୍ଲା ଧୈର୍ଯ୍ୟ ଓ ନିରପେକ୍ଷତାର ସହ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ସଂସଦୀୟ ବ୍ୟବସ୍ଥାରେ ସମସ୍ତ ସାଂସଦଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ ଶହେ ବର୍ଷ ଧରି ଦେଶବାସୀଙ୍କ ଅପେକ୍ଷାରେ ଥିବା କିଛି କାର୍ଯ୍ୟ ଏଥର ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଚଳିତ ସରକାରରେ ଗ୍ରହଣ କରାଯାଇଥିବା ବହୁ ଐତିହାସିକ ତଥା ଚର୍ଚ୍ଚିତ ନିଷ୍ପତ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନ ମାଧ୍ୟମରେ ସ୍ମରଣ କରିଛନ୍ତି । କାଶ୍ମୀରରୁ ଧାରା-370 ଉଚ୍ଛେଦ, ଭାରତର ଜି-20 ସମ୍ମିଳନୀରେ ଅଧ୍ୟକ୍ଷତା, ଡାଟା ସୁରକ୍ଷା ଅଧିନିୟମ ପରି ବହୁ ଐତିହାସିକ ସଫଳତା ଚଳିତ ଲୋକସଭା କାର୍ଯ୍ୟକାଳରେ ହୋଇଛି । ଏକାଧିକ ଗମ୍ଭୀର ସମସ୍ୟା ଓ ଆହ୍ବାନ ସତ୍ତ୍ବେ ଦେଶକୁ ସଠିକ ଦିଶା ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶବାସୀ ଦୀର୍ଘ ବର୍ଷ ହେବ ଦେଶରେ ଗୋଟିଏ ସମ୍ବିଧାନ ଦେଖିବାକୁ ସ୍ବପ୍ନ ରଖିଥିଲେ । ଚଳିତ ଲୋକସଭାରେ ଧାରା-370 ଉଚ୍ଛେଦ କରି ଏହାକୁ ବାସ୍ତବତାରେ ପରିଣତ କରାଯାଇଛି । ତିନି ତଲାକ ଓ ମହିଳା ସଂରକ୍ଷଣ ଅଧିନିୟମ ଦେଶର ନାରୀଶକ୍ତିଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।