ନୂଆଦିଲ୍ଲୀ:‘‘ବୁଲଡୋଜର ଜଷ୍ଟିସ୍ ଧାରା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । କୌଣସି ବ୍ୟକ୍ତି କୌଣସି ମାମଲାରେ ଅଭିଯୁକ୍ତ ଥିଲେ, ସେ ଦୋଷୀ କିମ୍ବା ନିର୍ଦ୍ଦୋଷ ତାହା ନିର୍ଣ୍ଣୟ କରିବା ପାଇଁ ନ୍ୟାୟପାଳିକା ରହିଛି । କୌଣସି ବ୍ୟକ୍ତି କେବଳ ମାତ୍ର ଅଭିଯୁକ୍ତ ବୋଲି କାର୍ଯ୍ୟପାଳିକା ତାର ଆଶ୍ରୟ ଭାଙ୍ଗିପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ କ୍ଷମତାର ପୃଥ୍ବୀକରଣ ନୀତିର ଖୋଲା ଉଲ୍ଲଂଘନ । ନ୍ୟାୟ ପ୍ରଦାନ ଆଳରେ ଏହି ଧାରାକୁ ବରଦାସ୍ତ କରାଯିବ ନାହିଁ ।’’ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ବୁଲଡୋଜର ଆକ୍ସନ ବିରୋଧରେ ଆଜି(ବୁଧବାର) ସୁପ୍ରିମ କୋର୍ଟ ଏପରି କଡା ଟିପ୍ପଣୀ କରିଛନ୍ତି । ଏହା ସହ ଖଣ୍ଡପୀଠ ଏକାଧିକ ଦଫା ସମ୍ବଳିତ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏପରି ସ୍ଥିତିରେ ସରକାର ଓ ପ୍ରଶାସନ କ୍ଷମତାର ଦୂରୁପଯୋଗ କରି ମନମାନି କରିପାରିବେନି, ବରଂ କୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀ ମଧ୍ୟରେ ରହି କାର୍ଯ୍ୟାନୁଷ୍ଠାନ ନେବେ ।
- ପ୍ରତ୍ୟେକ ବ୍ୟକ୍ତିର ବାସସ୍ଥାନ ତାର ଆଶା ଓ ଆଶ୍ରୟ: ସୁପ୍ରିମକୋର୍ଟ
ବିଭିନ୍ନ ଘଟଣାରେ ତୁରନ୍ତ ବୁଲଡୋଜର ଲଗାଇ ଘର ଓ ସମ୍ପତ୍ତିକୁ ମାଟିରେ ମିଶାଯାଉଥିବା ଘଟଣାରେ ହସ୍ତକ୍ଷେପ କରିବାକୁ ହୋଇଥିବା ଏକ ମାମଲାର ଶୁଣାଣି ଆଜି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ଏହି ଧାରାକୁ ଅତି ଗମ୍ଭୀର ବୋଲି ବିଚାର କରି ଉଦବେଗ ପ୍ରକାଶ କରିଥିଲେ । ଅକ୍ଟୋବର ପହିଲାରେ ଏହି ମାମଲାର ସଂରକ୍ଷିତ ରାୟ ପ୍ରକାଶ କରିବେ କୋର୍ଟ । ଖଣ୍ଡପୀଠ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିର ବାସସ୍ଥାନ ତାର ଆଶା ଓ ଆଶ୍ରୟ ହୋଇଥାଏ । ସେହି ଆଶ୍ରୟରୁ ସେ କେବେ ମଧ୍ୟ ବଞ୍ଚିତ ନହେଉ ବୋଲି ସମସ୍ତେ ଚାହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏକ ଗମ୍ଭୀର ପ୍ରସଙ୍ଗ ଯେ, ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ ବୋଲି କଣ କାର୍ଯ୍ୟପାଳିକା ତାର ବାସସ୍ଥାନରୁ ତାକୁ ବଞ୍ଚିତ କରିଦେବ । ସେହି ବ୍ୟକ୍ତି ଦୋଷୀ କିମ୍ବା ନିର୍ଦ୍ଦୋଷ, ତାହା ନ୍ୟାୟପାଳିକା ନିର୍ଣ୍ଣୟ କରିବ, ଏହା କାର୍ଯ୍ୟପାଳିକାର କ୍ଷମତା ପରିସରଭୂକ୍ତ ନୁହେଁ । କେବଳ ଏହି କାରଣ ପାଇଁ ତାଙ୍କର ବାସଗୃହ କିମ୍ବା ସମ୍ପତ୍ତିକୁ ଧ୍ବଂସ କରାଯାଇ ପାରିବ ନାହଁ ।