ନୂଆଦିଲ୍ଲୀ:ଚଳିତ ସାଧାରଣ ନିର୍ବାଚନ (2024)ରେ ରାହୁଲ ଗାନ୍ଧୀଙ୍କୁ ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଠୀ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଗତ ଥରର ପ୍ରତିଦ୍ବନ୍ଦ୍ବୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯଦି ରାହୁଲଙ୍କ ଆତ୍ମବିଶ୍ବାସ ଅଛି, ତେବେ ସେ ଚଳିତ ଥର ଆମେଠିରୁ ନିର୍ବାଚନ ଲଢନ୍ତୁ ବୋଲି ସ୍ମୃତି କହିଛନ୍ତି । ସ୍ମୃତି କହିଛନ୍ତି, ‘‘2019ରେ ରାହୁଲ ଆମେଠି ଛାଡି ପଳାଇଥିଲେ । ଏଥର ଆମେଠି ତାଙ୍କୁ ଛାଡି ସାରିଛି । ଯଦି ସେ ବିଜୟୀ ହେବେ ବୋଲି ଦୃଢ ଅଛନ୍ତି, ତେବେ ସେ ଚଳିତଥର ଆମେଠିରୁ ନିର୍ବାଚନ ଲଢନ୍ତୁ ।’’
2004 ସଧାରଣ ନିର୍ବାଚନରେ ରାହୁଲ ନିଜ ରାଜନୈତିକ କ୍ୟାରିୟର ଉତ୍ତର ପ୍ରଦେଶର ଆମେଠି ସଂସଦୀୟ କ୍ଷେତ୍ରରୁ କରିଥିଲେ । ପୂର୍ବରୁ ଏହି ଆସନରୁ ରାହୁଲଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିର୍ବାଚନ ଲଢି ଆସୁଥିଲେ । ହେଲେ ଗତଥର (2019)ରେ ଦୁଇଟି ଆସନ, ଉତ୍ତର ପ୍ରଦେଶର ଆମେଠି ସମେତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିଥିଲେ ରାହୁଲ । ପାରମ୍ପରିକ ଆସନ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ସେ ପରାଜିତ ହେବା ସହ ଓ୍ବାୟନାଡରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ । ଗତ ସାଧାରଣ ନିର୍ବାଚନରେ ସ୍ମୃତି ଇରାନୀ ପ୍ରାୟ 55 ହଜାର ଭୋଟ ବ୍ୟବଧାନରେ ରାହୁଲଙ୍କୁ ପରାଜିତ କରିଥିଲେ । ରାହୁଲଙ୍କ ରାଜନୈତିକ କ୍ୟାରିୟରରେ ଏହା ପ୍ରଥମ ପରାଜୟ ଥିଲା ।