ଲକ୍ଷ୍ନୌ: ଆସ୍ଥା ବିଶ୍ବାସର ମହାକୁମ୍ଭ । 144 ବର୍ଷ ପରେ ଦୁର୍ଲଭ ସଂଯୋଗ । ଭକ୍ତି ଭାବରେ ଉଛୁଳୁଛି ଉତ୍ତରପ୍ରଦେଶର ପବିତ୍ର ଧର୍ମସ୍ଥଳୀ ପ୍ରୟାଗରାଜ । ହଜାର ହଜାର ନାଗା ସାଧୁଙ୍କ ଭିଡ । ଆସନ୍ତୁ ଜାଣିବା କିଏ ଏହି ନାଗା ସାଧୁ ? ଏମାନଙ୍କର ମହତ୍ତ୍ବ କଣ ? କଣ ରହିଛି ଏମାନଙ୍କ ଦିନଚର୍ଯ୍ୟା ? ଏଥିପାଇଁ କଣ ରହିଛି ନିୟମ ?
‘ନଗ’ରୁ ଆସୁଛି ‘ନାଗା’:
ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ କହିବା ଅନୁସାରେ, ନାଗା ଶବ୍ଦଟି ‘ନଗ’ରୁ ଆସିଛି । ‘ନଗ’ ଶବ୍ଦର ଅର୍ଥ ପାହାଡ଼, ଅଗ, ନାଗଚ୍ଛେତିତି ନଗହଃ, ଆଗଚ୍ଛେତିତି ଅଗହଃ । ଯିଏ ଆଗକୁ ନ ବଢନ୍ତି ବା ଗୋଟିଏ ସ୍ଥାନରେ ସ୍ଥିର ରୁହନ୍ତି । ସେମାନଙ୍କ ନାଁ ହେଉଛି ନଗ । ଅର୍ଥାତ ଯିଏ ଚିନ୍ତାଧାରାରେ ସ୍ଥିର, ଅଟଳ ସେହିଭଳି ବ୍ୟକ୍ତିଙ୍କୁ ନାଗା କୁହାଯାଏ ।
ନାଗା ସାଧୁ ରୁହନ୍ତି କେଉଁଠି ?
ମନୁଷ୍ୟ ଯେତେବେଳେ ସନ୍ୟାସ ନିଏ । ସିଏ ସେତେବେଳେ ସବୁକିଛି ତ୍ୟାଗ କରିଥାଏ । କାମନା ବାସନା ମୋହ ସବୁଠୁ ଊର୍ଦ୍ଧ୍ବରେ ହୋଇଯାଏ । ପିନ୍ଧା ବସ୍ତ୍ର ମଧ୍ୟ ତ୍ୟାଗ କରି ହିମାଳୟ ଆଡକୁ ଚାଲି ଯାଇଥାନ୍ତି । ସେମାନଙ୍କୁ ଗୁରୁଜନ ବ୍ୟକ୍ତି ଅଟକାଇଥାନ୍ତି, କିଛି କଟି ବସ୍ତ୍ର ଦେଇ ସାଧନା କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ଗୁରୁଜନ ଅଟକାଇଲେ ସେ ଅଟକନ୍ତି । ନଚେତ ନଗ୍ନ ହୋଇ ହିମାଚଳକୁ ଯିବାକୁ ଇଚ୍ଛା କରିଥାନ୍ତି । ସେଥିପାଇଁ ଯେଉଁ ସନ୍ୟାସୀ ବିନା ବସ୍ତ୍ରରେ ରୁହନ୍ତି ସେମାନଙ୍କୁ ନାଗା କୁହାଯାଏ ।
ନାଗା ସାଧୁଙ୍କୁ ଦିଗମ୍ବର ମଧ୍ୟ କୁହାଯାଏ:
ନାଗା ସାଧୁଙ୍କ ଦିଗମ୍ବର ମଧ୍ୟ କୁହାଯାଏ । ସନାତନ ଧର୍ମରେ ନାଗା ସାଧୁ ସେମାନଙ୍କୁ କୁହାଯାଏ ଯେଉଁମାନେ ସାରା ଜୀବନ ପ୍ରଭୁଙ୍କ ଭକ୍ତିରେ ଲୀନ ରୁହନ୍ତି । ସେମାନେ ବସ୍ତ୍ର ଧାରଣ କରନ୍ତି ନାହିଁ ।
ନାଗା ସାଧୁଙ୍କ ମହତ୍ତ୍ବ କଣ ?
ପ୍ରାଚୀନ କାଳରେ କିଛି ଲୋକ ଏପରି ଥିଲେ ଯେଉଁମାନେ ନିଜ ଧର୍ମକୁ ପ୍ରଚାର ପ୍ରସାର କରିବା ପାଇଁ ଅନ୍ୟ ଉପରେ ଅନ୍ୟାୟ ଅତ୍ୟାଚାର କରୁଥିଲେ । ସେମାନଙ୍କ ଅତ୍ୟାଚାରରେ ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ଏପରି ସ୍ଥିତିରେ ଆଗକୁ ଆସିଥିଲେ ନାଗା ସାଧୁ । ସେମାନଙ୍କ ସହ ଲଢିଥିଲେ । ଧର୍ମର ରକ୍ଷା ପାଇଁ ପ୍ରାଣବଳୀ ମଧ୍ୟ ଦେଇଥିଲେ । ଏହାକୁ ନେଇ ଜନମାନସରେ ସେମାନଙ୍କ ସମ୍ମାନ ବଢିଯାଇଥିଲା । ବୀର ପୁରୁଷ, ଧର୍ମ ରକ୍ଷକ, ଧର୍ମବୀର ରୂପେ ସେମାନଙ୍କୁ ମାନ୍ୟତା ଦିଆଗଲା । ନାଗା ସାଧୁଙ୍କ ଅନେକ ମହତ୍ତ୍ବ ରହିଛି । କୁମ୍ଭ ମେଳାରେ ଶାହୀ ସ୍ନାନ ଏମାନେ କରନ୍ତି ।