ରାଞ୍ଚି:ଛତିଶଗଡ ପରେ ଏବେ ପଡୋଶୀ ଝାଡଖଣ୍ଡରେ ସୁରକ୍ଷାବଳ ଉପରେ ଲାଲବାହିନୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଚାତ୍ରା ଜିଲ୍ଲାର ଜୁରିବେରିଓ ପୋଲିସ ଷ୍ଟେସନ ଅଞ୍ଚଳ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିରେ ଅପରେସନରେ ସାମିଲ ଥିବା ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରୁ ଜୁରିବେରିଓ ନିକଟବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସ ଫୋର୍ସର ଯବାନଙ୍କ ମିଳିତ ଟିମ ପାଟ୍ରୋଲିଂରେ ବାହାରିଥିଲେ । ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ନକ୍ସଲମାନେ ଅତର୍କିତ ଗୁଳିମାଡ କରିଥିଲା । ସୁରକ୍ଷାବଳ ମଧ୍ୟ ପାଲଟା ଯବାବ ଦେଇଥିଲା । କିଛି ଘଣ୍ଟା ଧରି ଜାରି ରହିଥିବା ଏହି ଗୁଳି ବିନିମୟରେ 2 ଯବାନ ଶହୀଦ ହୋଇଛନ୍ତି । ଅନ୍ୟଜଣେ ଯବାନ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଛନ୍ତି । ନିକଟବର୍ତ୍ତୀ ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।