ଲଦାଖ:ଚୀନ ସୀମା ସଂଲଗ୍ନ ଲଦାଖରେ ବନ୍ୟାଜଳରେ ସେନାର ଏକ ଟ୍ୟାଙ୍କ ଭାସିଯିବା ଫଳରେ 5 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଜଣେ ଜୁନିଅର କମିଶନଡ ଅଫିସର ମଧ୍ୟ ଅଛନ୍ତି । ଆଜି ଭୋର ପ୍ରାୟ 3ଟା ସମୟରେ ଏହି ଅଘଟଣ ଘଟିଛି । ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟବର୍ତ୍ତୀ ଦୌଲତ ବେଗ ଓଲଡି ଏରିଆରେ ଥିବା ଏକ ଶୁଖିଲା ନଦୀକୁ ସେନାର T-72 ଟ୍ୟାଙ୍କ ଅତିକ୍ରମ କରିବା ବେଳେ ହଠାତ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଟ୍ୟାଙ୍କଟି ଭାସିଯାଇଥିଲା । ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ 5ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।
ତେବେ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲେହରୁ ପ୍ରାୟ 148 କି.ମି ଦୂରରେ ଏହି ଅଘଟଣ ଘଟିଛି । ଏକ ଅଭ୍ୟାସ ମିଶନରେ ଭାରତୀୟ ସ୍ଥଳସେନାର ଟି-72 ଟ୍ୟାଙ୍କରେ ଜଣେ ସେନାଧିକାରୀଙ୍କ ସମେତ 5 ଜଣ ଯବାନ ଏହି ମିଶନରେ ବାହାରିଥିଲେ । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସେନା ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ସମସ୍ତ 5 ମୃତଦେହ ଉଦ୍ଧାର କରିବାରେ ରେସ୍କ୍ୟୁ ଟିମ୍ ସଫଳ ହୋଇଛି ।
ଅଘଟଣରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ରାଜନାଥ ଲେଖିଛନ୍ତି, ‘‘ଲଦାଖର ଏକ ନଦୀରେ ଘଟିଥିବା ଅଘଟଣରେ ଆମର 5 ଯବାନ ଶହୀଦ ହେବା ଏକ ଦୁଖଃଦ ଘଟଣା । ଦେଶ ସେବା ପାଇଁ ସେମାନଙ୍କ ସାହାସିକତାର ଉଦାହରଣକୁ ଆମେ କେବେ ଭୁଲି ପାରିବୁ ନାହିଁ । ସେମାନଙ୍କ ପରିବାର ପ୍ରତି ମୋର ସମବେଦନା । ଏପରି କଠିନ ସମୟରେ ସେମାନଙ୍କ ସହ ପୁରା ଦେଶ ଛିଡା ହୋଇଛି ।