ଭୋପାଳ: ମହାକୁମ୍ଭରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରାଭେଲର (ମିନି ବସ୍)କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ 9ଟା ବେଳେ ଜବଲପୁର ସହରରୁ ପ୍ରାୟ 30 କି.ମି ଦୂରରେ ଜବଲପୁର-ପ୍ରୟାଗରାଜ ଜାତୀୟ ରାଜପଥ 30 ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
- ଟ୍ରକ ଧକ୍କାରେ ଟ୍ରାଭେଲର ଚୂରମାର
ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର ଜବଲପୁର-ପ୍ରୟାଗରାଜ ୩୦-ନମ୍ବର ଜାତୀୟ ରାଜପଥରେ ମହାକୁମ୍ଭରୁ ଶ୍ରଦ୍ଧାଳୁଙ୍କୁ ଧରି ଫେରୁଥିବା ଏକ ଟ୍ରାଭେଲରକୁ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଛି । ଏଥିରେ ଟ୍ରାଭେଲରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଆନ୍ଧ୍ର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି । ଅନ୍ୟ ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି । ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଜବଲପୁର ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
- ମୃତକମାନେ ଆନ୍ଧ୍ର ଓ ତେଲେଙ୍ଗାନାର ବାସିନ୍ଦା :
ଏନେଇ ସ୍ଥାନୀୟ ‘ଏସଡିଓପି’ ପାରୁଲ ଶର୍ମା କହିଛନ୍ତି," ଦୁର୍ଘଟଣାଟି ସକାଳ ପ୍ରାୟ ୯ଟାରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିରେ ଆନ୍ଧ୍ର ପ୍ରଦେଶର ପରିବହନ ପଞ୍ଜିକରଣ ନମ୍ବର ‘AP29 W 1525’ ରହିଛି । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆନ୍ଧ୍ର ଓ ତେଲେଙ୍ଗାନାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ପଛରେ ଆଉ ଏକ ଟ୍ରାଭେଲର ଥିଲା । ଏହାକୁ ମଧ୍ୟ ଟ୍ରକ ଧକ୍କା ଦେଇଥିଲା । କିନ୍ତୁ ଏୟାରବ୍ୟାଗ ଖୋଲିଯିବାରୁ ଏଥିରେ ବସିଥିବା ସମସ୍ତ ଲୋକ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି । କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସିହୋରା ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ହେବ ୩ ଟ୍ରେନିଂ ସେଣ୍ଟର, ବିମାନ ଉଡାଣ ପ୍ରଶିକ୍ଷଣ ନେବେ NCC କାଡେଟ |