ମୁମ୍ବାଇ:ମହାରାଷ୍ଟ୍ରରେ ବଡ଼ ଅଘଟଣ । ନିଆଁ ଲାଗିଥିବା ଗୁଜବରେ ‘ପୁଷ୍ପକ ଏକ୍ସପ୍ରେସ’ରୁ ଭୟରେ ଡେଇଁ ପଡିଥିବା ଯାତ୍ରୀଙ୍କ ଉପରେ ମାଡିଯାଇଛି ‘କର୍ଣ୍ଣାଟକ ଏକ୍ସପ୍ରେସ’ । ଫଳରେ 13 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ବିଳମ୍ବିତ ଅପରାହ୍ନରେ ଜଲଗାଁଓ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଏଥିରେ ଏକାଧିକ ଯାତ୍ରା ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ରେଳବାଇ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।
- ନିଆଁ ଗୁଜବରେ ଡେଇଁ ପଡିଲେ
ପ୍ରାଥମିକ ସୂଚନା ଅନୁସାରେ, ଜଲଗାଓଁର ପାଚୋରା ରେଳ ଷ୍ଟେସନ ନିକଟରେ ‘ପୁଷ୍ପକ ଏକ୍ସପ୍ରେସ’ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଥିଲା । ଏହି ଖବର ପ୍ରସାରିତ ହେବା ମାତ୍ରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନର ଚେନ୍ ପୁଲିଂ ଟ୍ରେନରୁ ଡେଇଁ ପଡିଥିଲେ । ସେହି ସମୟରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ‘କର୍ଣ୍ଣାଟକ ଏକ୍ସପ୍ରେସ’ ସେମାନଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଏବେ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ଅଧିକାରୀ ସ୍ପଷ୍ଟ କରିଛନ୍ତି । ମୃତକଙ୍କ ମଧ୍ୟରେ ନେପାଳର ନାଗରିକ ମଧ୍ୟ ଅଛନ୍ତି ।
- କଣ କହିଲେ ମହାରାଷ୍ଟ୍ର ମନ୍ତ୍ରୀ
ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଏକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, 10ରୁ 12 ଜଣଙ୍କ ଜୀବନ ଯାଇଛି । ଗତକାଲି ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ 10ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । କିଛି ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି ।
ଏହା ବି ପଢନ୍ତୁ... |