ପ୍ରୟାଗରାଜ: ଆଉ ମାତ୍ର ଦୁଇ ଦିନ ପରେ ସରିବ ମହାକୁମ୍ଭ ମେଳା । ଏବେବି ବୁଡ ପକାଇ ସାରିଲାଣି ଅଧା ଭାରତ । ମହାକୁମ୍ଭରେ ଗଙ୍ଗାଜଳ ଶୁଦ୍ଧତାକୁ ନେଇ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଶ୍ନ ଉଠାଇବା ପରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି । ପଦ୍ମଶ୍ରୀ ଡାକ୍ତର ଅଜୟ ସୋନକର ଏହି ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିସାରିଛନ୍ତି । ଏବେ ସେ ନୂଆ ଦାବି କରିଛନ୍ତି । ସଙ୍ଗମ ଗଙ୍ଗାଜଳରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ଜନ୍ମ ନେଇ ପାରିବ ନାହିଁ ବୋଲି ସେ ଦାବି କରିଛନ୍ତି । ସଙ୍ଗମ ଗଙ୍ଗାଜଳର ତାପମାତ୍ରା 10 ରୁ 15 ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । 20 ଡିଗ୍ରୀ ଉପରକୁ ଏହି ତାପମାତ୍ରା ଗଲେ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ । ସେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସାମନାରେ ଗଙ୍ଗାଜଳକୁ ପିଇକି ମଧ୍ୟ ଦେଖାଇଛନ୍ତି । ଗଙ୍ଗାଜଳରେ କୌଣସି ହାନିକାରକ ବ୍ୟାକ୍ଟେରିଆ ନ ଥିବା ସେ ଗଙ୍ଗାଜଳ ପିଇ ପ୍ରମାଣ କରିଦେଇଛନ୍ତି ।
ଗଙ୍ଗାଜଳରେ ଥିବା ତାପମାତ୍ରା ଏହି ବ୍ୟାକ୍ଟେରିଆର ବିକାଶ କରିବା ପାଇଁ ଅସମର୍ଥ । ଜଳର ତାପମାତ୍ରା 20 ଡିଗ୍ରୀରୁ କମ ରହିଲେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ନିଷ୍କ୍ରିୟ ରହିଥାଏ । କିନ୍ତୁ ମହାକୁମ୍ଭ ସମୟରେ ଗଙ୍ଗାଜଳର ତାପମାତ୍ରା 10 ରୁ 15 ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା ।
- ଶ୍ରଦ୍ଧାଲୁଙ୍କ ମଧ୍ୟରେ ମାପିଲେ ଗଙ୍ଗାଜଳର ତାପମାତ୍ରା
ସଙ୍ଗମର ବିଭିନ୍ନ ଘାଟରେ ବୈଜ୍ଞାନିକ ଅଜୟ ସୋନକର ଗଙ୍ଗାଜଳର ତାପମାତ୍ରା ଯାଞ୍ଚ କରିଥିଲେ । ଗଙ୍ଗାଜଳର ତାପମାତ୍ରା ବ୍ୟାକ୍ଟେରିଆଙ୍କ ପାଇଁ ପ୍ରତିକୂଳ ବୋଲି ଜଣାଇଥିଲେ । ବ୍ୟାକ୍ଟେରିଆ ବଢିବା ପାଇଁ ଜଳର ତାପମାତ୍ରା 35 ରୁ 40 ଡିଗ୍ରୀ ହେବା ଉଚିତ । ସେ କହିଛନ୍ତି ଗଙ୍ଗାର ଶୁଦ୍ଧତାରେ କୌଣସି ସନ୍ଦେହ କରିବା ଉଚିତ ନୁହେଁ । ନିଜର ସ୍ବତନ୍ତ୍ର ଗୁଣ କାରଣରୁ ଗଙ୍ଗାଜଳର ଶୁଦ୍ଧତା ଯୁଗ ଯୁଗରୁ ରହିଆସିଛି । ଡ. ସୋନକର କହିଛନ୍ତି ଯେ ବୈଜ୍ଞାନିକ ତଥ୍ୟ କହୁଛି ଯେ ଥଣ୍ଡା ପାଣିରେ ଫିକଲ କୋଲଫର୍ମ ଜୀବିତ ରହିବା ସମ୍ଭବ ନୁହେଁ । ଗଙ୍ଗାଜଳରେ ସ୍ନାନ କରିବା ସହ ପିଇବା ମଧ୍ୟ ଉପଯୁକ୍ତ ଅଟେ । ଗଙ୍ଗାଜଳ ଆମ ଶରୀରର ବିଭିନ୍ନ ରୋଗ ବୈରାଗ ଠିକ୍ କରିବାରେ ସାହାଯ୍ୟ କରାଥାଏ ।
- କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ
ସିପିସିବି ପକ୍ଷରୁ ଏନଜିଟିକୁ ପଠାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଗଙ୍ଗାଜଳରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ 100 ମିଲିଲିଟର ପାଣିରେ 2,500 ୟୁନିଟରୁ ଅଧିକ ରହିଚି । ଏହାପରେ ଏନଜିଟି ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଭର୍ସନା କରିଥିଲେ ।
- କୋଲିଫର୍ମ ବ୍ୟାକ୍ଟେରିଆ କଣ
ଏହି ବ୍ୟାକ୍ଟେରିଆ ମନୁ୍ଷ୍ୟଙ୍କ ବ୍ୟତୀତ ପଶୁଙ୍କ ଅନ୍ତନଳୀରେ ରହିଥାଏ । କିନ୍ତୁ ପାଣିରେ ଏହି ଜୀବାଣୁ ରହିବା ଅର୍ଥ ଏହା ଜଳ ପ୍ରଦୂଷଣର ଲକ୍ଷଣ ହୋଇଥାଏ । ପାଣିର ଗୁଣବତ୍ତା ଯାଞ୍ଚ ପାଇଁ ଫିକଲ କୋଲିଫର୍ମର ଯାଞ୍ଚ ହୋଇଥାଏ । ଏହ ବ୍ୟାକ୍ଟେରିଆ କାରଣରୁ ଝାଡାବାନ୍ତି ଭଳି ସଂକ୍ରମଣ ରୋଗର ସାମନା କରିାକୁ ପଡିଥାଏ ।