କୋଲକାତା:ଧରାପଡିଲା ସନ୍ଦେଶଖାଲି ବିବାଦର ମାଷ୍ଟରମାଇଣ୍ଡ । ୫୫ ଦିନର ଲୁଚକାଳି ଖେଳ ପରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନ ଗିରଫ ହୋଇଛି । ଆଜି(ଗୁରୁବାର) ସକାଳେ ତାକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ । ଗତ ଜାନୁଆରୀ ୫ରୁ ଫେରାର୍ ଥିଲା ଶାହାଜାହାନ । ଏହି ଟିଏମସି ନେତାଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ଶାହାଜାହାନ ଓ ତା'ର କିଛି ସହଯୋଗୀ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ସେମାନଙ୍କ ଜମି ହଡ଼ପ କରିବା ଅଭିଯୋଗ ହୋଇଥିଲା ।
ଶେଖ ଶାହାଜାହାନର ଗିରଫଦାରୀ ବିଳମ୍ବ ନେଇ କୋଲକାତା ହାଇକୋର୍ଟ ରାଜ୍ୟ ପୋଲିସକୁ ତାଗିଦ୍ କରିବାର ୩ ଦିନ ପରେ ଏହି ୫୩ ବର୍ଷୀୟ ଟିଏମସି ନେତାକୁ ଗିରଫ କରାଯାଇଛି । ସନ୍ଦେଶଖାଲିର ଅନେକ ମହିଳା ଶାହାଜାହାନ ଓ ତା'ର ସହଯୋଗୀଙ୍କ ବିରୋଧରେ ଜମି ଜବରଦଖଲ ଓ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ଟିଏମସି ନେତା ଓ ସହଯୋଗୀଙ୍କୁ ଗିରଫ ଦାବି କରି ମହିଳାମାନେ ଏକ ମାସରୁ ଅଧିକ ସମୟ ହେଲା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଗତ ଜାନୁଆରୀ ୫ରୁ ଶାହାଜାହାନ ଫେରାର୍ ହୋଇଯାଇଥିଲା । ସେହିଦିନ ଏକ ଦୁର୍ନୀତି ମାମଲାରେ ଇଡି ଅଧିକାରୀ ଶାହାଜାହାନ ଘରେ ଚଢାଉ ପାଇଁ ଯାଇଥିବା ବେଳେ ତା'ର ସମର୍ଥକଙ୍କ ଏକ ଭିଡ଼ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରିଥିଲେ ।