ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା । ଗିରଫ ହୋଇ ଜେଲ୍ରେ ଥିବା BRS ନେତ୍ରୀ କେ.କବିତାଙ୍କୁ ଆଜି ବି ମିଳିଲାନି ଆଶ୍ବସ୍ତି । କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ପୁଣି ବୃଦ୍ଧି କଲେ ରାଉଜ ଆଭେନ୍ୟୁ କୋର୍ଟ । ନ୍ୟାୟିକ ହେପାଜତ ଅବଧି 15 ଦିନ ବୃଦ୍ଧି କରିଥିବା ବେଳେ ଏପ୍ରିଲ 23 ତାରିଖ ଯାଏଁ ଜେଲରେ ରହିବେ କବିତା । ସୋମବାର ଅନ୍ତରୀଣ ଜାମିନ ଆବେଦନ ଖାରଜ କରାଯାଇଥିବା ବେଳେ ଆଜି ପୁଣି ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ଯଦି କହିବା କବିତାଙ୍କୁ ଝଟକା ପରେ ଝଟକା ଲାଗୁଛି । ପ୍ରକାଶ ଥାଉକି, ୧୦ ଦିନିଆ ED ରିମାଣ୍ଡ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ ।
ସୂଚନା ଅନୁସାରେ, ଆଜି ସକାଳ 11ଟା ସମୟରେ କେ କବିତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କର ହେପାଜତ ଅବଧି ଶେଷ ହେବାକୁ ଥିବାବେଳେ ତାଙ୍କୁ ହାଜର କରାଯାଇଥିଲା । ତେବେ ଶୁଣାଣି ସମୟରେ ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ପୁଣିଥରେ କୋର୍ଟ ନ୍ୟାୟିକ ହେପାଜକୁ ଆସନ୍ତା 23 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏହାପରେ ଜେଲକୁ ଫେରିଯାଇଛନ୍ତି ବିଆରଏସ ନେତ୍ରୀ । ସୂଚନା ଥାଉକି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ 15 ତାରିଖରେ ବିଆରଏସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାକୁ ଗିରଫ କରିଥିଲା ଇଡି ।