ଡେରାଡୁନ:ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହାଲଦୱାନିରେ ଜବରଦଖଲ ଉଚ୍ଛେଦ ବେଳେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଅବୈଧ ଭାବେ ନିର୍ମିତ ଏକ ନିର୍ଦ୍ଦିଷ୍ଟ ଧର୍ମର ଧାର୍ମିକସ୍ଥଳୀ ଉଚ୍ଛେଦ କରାଯିବା ବେଳେ କିଛି ହିଂସାକାରୀ ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମକୁ ଆକ୍ରମଣ କରିଛନ୍ତି । ପଥରମାଡ ସହ ପୋଲିସ ଗାଡି ଜଳାପୋଡା ମଧ୍ୟ ହୋଇଛି । ଏଥିରେ ଏକାଧିକ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥିତିକୁ ଦେଖି ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି । ପୋଲିସ ଗୁଳିରେ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି (ଗୁରୁବାର) କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ହାଲଦୱାନି ମ୍ୟୁନିସିପାଲ ପ୍ରଶାସନର ମିଳିତ ଟିମ ବନବୁଲାପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଦୀର୍ଘବର୍ଷରୁ ହୋଇଥିବା ଜବରଦଖଲ ଉଚ୍ଛେଦ କରିବା ପାଇଁ ପହଞ୍ଚିଥିଲା । ସେଠାରେ ପ୍ରଶାସନ ବୁଲଡୋଜର ମାଧ୍ୟମରେ ସରକାରୀ ଜମିରେ ଅବୈଧ ଭାବେ ନିର୍ମିତ ମଦ୍ରାସା ଓ ନମାଜ ସ୍ଥାନକୁ ଉଚ୍ଛେଦ କରିବା ଆରମ୍ଭ କରିଥିଲା । ଏହାକୁ ସ୍ଥାନୀୟ ନିର୍ଦ୍ଦିଷ୍ଟ ଧର୍ମର ବହୁଲୋକେ ବିରୋଧ କରିଥିଲେ । ଏହି ବିରୋଧ ସଂଧ୍ୟାରେ ବ୍ୟାପକ ହିଂସାର ରୂପ ନେଇଥିଲା ।
କିଛି ଦୁର୍ବୃତ୍ତ ପୋଲିସ ଓ ପ୍ରଶାସନର ଟିମକୁ ଆକ୍ରମଣ କରିଥିଲେ । ପଥରମାଡରେ ବହୁ ଅଧିକାରୀ, ସରକାରୀ କର୍ମଚାରୀଙ୍କ ସହ ସାଧାରଣ ଲୋକେ ଓ ଖବର ସଂଗ୍ରହ କରୁଥିବା କିଛି ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ଜଳାପୋଡା ମଧ୍ୟ ହୋଇଥିଲା । ପୋଲିସ ଗାଡି ସହ ଏକାଧିକ ଗାଡିରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଥିଲେ । ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ଏଥିରେ ଜଣଙ୍କ ମୃତ ହେବା ସହ 3 ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରାଯିବା ସହ ଦଙ୍ଗାକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବା (ସୁଟ ଆଟ ସାଇଟ) ପାଇଁ ନିର୍ଦ୍ଦେଶ ମିଳିଛି ।