ଜୟପୁର: କେବଳ ଇଂଜିନିୟରିଂ କିମ୍ବା ମେଡିକାଲ ପ୍ରସ୍ତୁତି ପାଇଁ ନମ୍ବର ୱାନ ନୁହେଁ, ବରଂ ରହିବା, ଖାଇବା, ଯାତାୟତ ଏବଂ ଅନ୍ୟ କୋଚିଂ ପାଇଁ ସବୁଠୁ ପ୍ରକୃଷ୍ଟ ସହର । ଯେଉଁଠି ଅନ୍ୟ ସହର ତୁଳନାରେ ଛାତ୍ରଛାତ୍ରୀଙ୍କ ୫ ହଜାର ଟଙ୍କା ପର୍ଯ୍ୟନ୍ତ କମ୍ ଖର୍ଚ୍ଚ ହୋଇଥାଏ । ଆମେ କହୁଛୁ JEE MAINS and NEET ପରୀକ୍ଷା ପ୍ରସ୍ତୁତି ପାଇଁ ଦେଶର ସବୁଠୁ ଫେବରିଟ୍ ସହର 'କୋଟା' କଥା । ଆସନ୍ତୁ ଜାଣିବା 'କୋଟା' କାହିଁକି ଛାତ୍ରଛାତ୍ରୀଙ୍କ ପ୍ରଥମ ଚଏସ ?
କୋଟା ସହର :
ରାଜସ୍ଥାନର ଏକ ସହର ହେଉଛି କୋଟା । ଯାହା ସାରା ଦେଶରେ କୋଚିଂ ହବ୍ ଭାବରେ ପରିଚିତ । ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହେଉଛି କୋଟା । ଦିଲ୍ଲୀ ଏନସିଆର, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଇନ୍ଦୋର ଭଳି ବଡ଼ବଡ଼ ସହରରେ କୋଚିଂର ସୁବିଧା ଥିଲେ ମଧ୍ୟ ପ୍ରତିବର୍ଷ ଲକ୍ଷଲକ୍ଷ ଛାତ୍ରଛାତ୍ରୀ କୋଟାରେ ରହି ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନିଅନ୍ତି । ଏହାସହ ଏଠାରୁ କୋଚିଂ ନେଇ ଅଧିକାଂଶ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ଉତିନ୍ନ ହୁଅନ୍ତି । ତେବେ କେଉଁ ସୁବିଧା ପାଇଁ ଅନ୍ୟ ସହର ଛାଡ଼ି ଛାତ୍ରଛାତ୍ରୀମାନେ କୋଟାରେ ରହି କୋଚିଂ ନେଉଛନ୍ତି ? କ'ଣ ପାଇଁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କୋଟାରେ କୋଚିଂ ଦେବା ପାଇଁ ପଠାଇଥାନ୍ତି ।
ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ଖର୍ଚ୍ଚ :
କୋଟାରେ ପାଖାପାଖି ୧୫୦ କୋଚିଂ ସେଣ୍ଟର ରହିଛି । ଏଠାରେ ଶୈକ୍ଷିକ ପରିବେଶ ମଧ୍ୟ ଖୁବ ଭଲ । କୋଚିଂ ସେଣ୍ଟରଗୁଡ଼ିକର ସିଷ୍ଟମେଟିକ ଗାଇଡାନ୍ସ ଫଳରେ ଛାତ୍ରଛାତ୍ରୀମାନେ ସହଜରେ ପ୍ରବେଶିକା ପରୀକ୍ଷାରେ ଉତିନ୍ନ ହୁଅନ୍ତି । ଏହା ସହ କୋଟାରେ ସବୁ ଶ୍ରେଣୀର ଲୋକଙ୍କୁ ସୁହାଇବା ଭଳି ଖର୍ଚ୍ଚ ହୋଇଥାଏ । ଜଣେ ଗରିବ ମଧ୍ୟବିତ ପରିବାର ପିଲା ଖୁବ୍ କମ୍ ଟଙ୍କାରେ ଏଠାରେ କୋଚିଂ ନେଇପାରିବା ଭଳି ସୁବୁଧା ମଧ୍ୟ ଉପଲବ୍ଧ ଅଛି । ସେହିପରି ରହିବା ପାଇଁ କୋଚିଂ ସେଣ୍ଟର ଠାରୁ ମାତ୍ର ଅଳ୍ପ ଦୂରରେ ଅନକେ ହଷ୍ଟେଲ, ପିଜି ଓ ମେସ ରହିଛି । ଯେଉଁଠାରେ ରହିବା ସହ ଖାଇବା ଖର୍ଚ୍ଚ ମଧ୍ୟ ଖୁବ୍ କମ ଟଙ୍କାରେ ହୋଇଯାଏ । ଏହାସହ ପାଠପଢ଼ାରେ ଆବଶ୍ୟକ ଉପକରଣ ମଧ୍ୟ ସହଜରେ ମିଳିଯାଏ । କହିବାକୁ ଗଲେ ଅନ୍ୟ ସହର ଅପେକ୍ଷା କୋଟାରେ ମାସକୁ ପାଖାପାଖି ୫୦୦୦ ଟଙ୍କା ପର୍ଯ୍ୟନ୍ତ ସେଭିଂ ହୁଏ ।
ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ:
ଏନେଇ କୋଟା ହଷ୍ଟେଲ ଆସୋସିଏସନର ସଭାପତି ନବୀନ ମିତ୍ତଲ କହିଛନ୍ତି ଯେ, ବଡ ସହରରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ମାସକୁ ଭଡା ପାଖାପାଖି ୧୦ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଛି । ଅଧିକାଂଶ ସ୍ଥାନରେ ହଷ୍ଟେଲରେ ଖାଇବା ସୁବିଧା ଉପଲବ୍ଧ ନାହିଁ । କିନ୍ତୁ କୋଟାରେ ମାସକୁ ମାତ୍ର ୮ରୁ ୧୨ ହଜାର ଟଙ୍କା ମଧ୍ୟରେ ହଷ୍ଟେଲରେ ସିଙ୍ଗିଲ ରୁମ ରହିଛି । ଯେଉଁଥିରେ ୱାଇ-ଫାଇ, ଖାଦ୍ୟ, ଲଣ୍ଡ୍ରି, ପାୱାର ବ୍ୟାକଅପ୍, ହାଉସକିପିଂ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି ।
ହଷ୍ଟେଲ ଠାରୁ ୫୦ରୁ ୫୦୦ ମିଟର ଦୂରରେ କୋଚିଂ ସେଣ୍ଟର:
ସେହିପରି ଜଣେ ହଷ୍ଟେଲ ପରିଚାଳକ ମୁକୁଲ ଶର୍ମାଙ୍କ କହିବା ଅନୁସାରେ, କୋଟାର ବିଭିନ୍ନ ସ୍ଥାନରେ ଅନେକ କୋଚିଂ ସେଣ୍ଟର ରହିଛି । କୋଟରେ ଥିବା ଘରଗୁଡ଼ିକରେ PG (Paying Guest) ମଧ୍ୟ ଉପଲବ୍ଧ ରହିଛି । ଫଳରେ କୋଟାରେ ରହୁଥିବା ଛାତ୍ରମାନଙ୍କୁ କୋଚିଂ ସେଣ୍ଟରରୁ ଯିବା ଆସିବା ଖର୍ଚ୍ଚ ବହନ କରିବାକୁ ପଡେନାହିଁ । ଅନ୍ୟ ସହରରେ ହଷ୍ଟେଲ ଠାରୁ କୋଚିଂ ସେଣ୍ଟର ଅଧିକ ଦୂରରେ ଥାଏ । ଫଳରେ ଛାତ୍ରଛାତ୍ରୀଙ୍କ ଯିବାଆସିବା ପାଇଁ ବହୁତ ଖର୍ଚ୍ଚ ହୋଇଥାଏ । କୋଟାର ଅଧିକାଂଶ ହଷ୍ଟେଲ କୋଚିଂ ସେଣ୍ଟର ଠାରୁ ମାତ୍ର ଠାରୁ ୫୦ରୁ ୫୦୦ମିଟର ମଧ୍ୟରେ ରହିଛି । ଏହା ବ୍ୟତୀତ ଅନେକ ହଷ୍ଟେଲ ପରିଚାଳକ ଛାତ୍ରଛାତ୍ରୀମାନଙ୍କ ପାଇଁ ଗାଡି ସୁବିଧା ମଧ୍ୟ ଯୋଗାଇ ଦିଅନ୍ତି । କୋଟାର ଅଧିକାଂଶ କୋଚିଂ ସେଣ୍ଟର ସହରାଞ୍ଚଳରେ ଅବସ୍ଥିତ । ତେଣୁ ଏଠାକୁ ଗମନାଗମନର ସୁବିଧା ଭଲ ରହିଛି । ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଜିନିଷ ମଧ୍ୟ କୋଚିଂ ସେଣ୍ଟର ନିକଟରେ ମିଳିଯାଉଛି । ଫଳରେ ଏଥିପାଇଁ ତାଙ୍କୁ ଅନ୍ୟ ଜାଗାକୁ ଯିବାକୁ ପଡ଼େ ନାହିଁ । ଯାହା ସେମାନଙ୍କ ସମୟ ବଞ୍ଚିଥାଏ ।
ମାସକୁ ୫୦୦୦ ଟଙ୍କା କମ୍ ଖର୍ଚ୍ଚ:
ଉତ୍ତରପ୍ରଦେଶର ଜୋନପୁରର ବାସିନ୍ଦା ରତ୍ନାବଳୀ ସିଂ କହିଛନ୍ତି ଯେ, ତାଙ୍କ ପୁଅ ପ୍ରଜ୍ବଳ ସିଂ 2 ବର୍ଷ ଧରି କୋଟାର ଇନ୍ଦ୍ରବିହାରରେ ରହି କୋଚିଂ ନେଉଛନ୍ତି । ସେ ହଷ୍ଟେଲରେ ରୁହେ । ପୁଅର କୋଚିଂ ସେଣ୍ଟର ହଷ୍ଟେଲ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି । ତାଙ୍କ ପୁତୁରା ବେଙ୍ଗାଲୁରୁରେ ରହି କୋଚିଂ ନେଉଥିଲେ । ଯେଉଁଠାରେ ରହିବା ଏବଂ ଖାଇବାର ମୂଲ୍ୟ ବହୁତ ଅଧିକ ଥିଲା । ଅନ୍ୟ ସହର ଅପେକ୍ଷା କୋଟାରେ ମାସକୁ ୫୦୦୦ ଟଙ୍କା କମ୍ ଖର୍ଚ୍ଚ ହୋଇଥାଏ । ତାଙ୍କ ପୁତୁରା ତାଙ୍କ ପୁଅକୁ କୋଟାରେ କୋଚିଂ ନେବା ପାଇଁ ସୁପାରିଶ କରିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କୋଟାରେ ରହି ପଢ଼ାପଢ଼ି କରିବାକୁ କହିଥିଲେ । ପରେ ପୁଅ ଏଠାରେ ଆଡମିଶନ ପାଇଥିଲା । ସେ କହିଛନ୍ତି ଯେ, ଏଠାରେ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସେ ବହୁତ ଖୁସି ।