ନୂଆଦିଲ୍ଲୀ:ଯେତେବେଳେ ସରକାର ବଦଳିବ, ସେତେବେଳେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ଦ୍ବିତୀୟ ଥର ଗଣତନ୍ତ୍ରର ହତ୍ୟା କରିବାକୁ କେହି ସାହାସ କରିବେ ନାହିଁ । ଏପରି କହି ଦେଶବାସୀଙ୍କୁ ଆଜି ରାହୁଲ ଗାନ୍ଧୀ ଦେଇଛନ୍ତି ଗ୍ୟାରେଣ୍ଟି । ଆୟକର ବିଭାଗ ପକ୍ଷରୁ 1823 କୋଟି ଜୋରିମାନା ଭରିବା ଲାଗି କଂଗ୍ରେସକୁ ନୋଟିସ ଆସିବା ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ଉପରେ ବର୍ଷି ଏପରି କହିଛନ୍ତି ରାହୁଲ । ଆୟକର ବିଭାଗ ଦ୍ବାରା ବିରୋଧୀମାନଙ୍କ ଉପରେ ଆତଙ୍କରାଜ ଚଲାଯାଉଥିବା ଦଳ ଅଭିଯୋଗ କରିଛି ।
କଂଗ୍ରେସର ଅଭିଯୋଗ ଅନୁସାରେ 14 ଲକ୍ଷ ଟଙ୍କା ହେରଫେରକୁ ନେଇ ଆୟକର ବିଭାଗ ଦଳ ଉପରେ 1823 କୋଟି ଟଙ୍କାର ଜୋରିମାନା ଲଗାଇଛି । ହେଲେ ଅନ୍ୟପଟେ ବିଜେପି ଉପରେ 42 କୋଟି ହେରଫେର ନେଇ 4600 କୋଟି ଟଙ୍କା ଜୋରିମାନା ଲଗାଇବାକୁ ଥିବା ବେଳେ ଏହାକୁ ଅଣଦେଖା କରାୟାଉଛି । ଏଣୁ ଆୟକର ବିଭାଗକୁ ଡବଲ୍ ଷ୍ଟାଣ୍ଡାର୍ଡ ବୋଲି କହିଛି କଂଗ୍ରେସ । ଏ ନେଇ ରାହୁଲ ଗାନ୍ଧୀ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, " ଯେତେବେଳେ ସରକାର ବଦଳିବ, ସେତେବେଳେ ଗଣତନ୍ତ୍ର ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ପରବର୍ତ୍ତୀ ସମୟରେ ଏପରି କରିବାକୁ କେହି ସାହାସ କରିବେ ନାହିଁ ।"