ପାଟନା:ବିହାରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ । ବିହାରର ଅରରିଆରୁ ଆରମ୍ଭ ହୋଇଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ପୁର୍ନିଆରେ ପହଞ୍ଚିଛି । ବିହାରରେ ରାଜନୈତିକ ହଟଚମଟ ଭିତରେ କୃଷକମାନଙ୍କ ସହିତ ବାର୍ତ୍ତାଳାପ କରି କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ରାହୁଲ । କୃଷକମାନଙ୍କୁ ଚାରି ଦିଗରୁ ଘେରି ଦିଆଯାଉଛି ଏବଂ ତାଙ୍କଠାରୁ ଜମି ଛଡ଼ାଇ ନିଆଯାଉଛି । ଉକ୍ତ ଜମିକୁ ନେଇ ବଡ଼ ବଡ଼ ଶିଳ୍ପପତିଙ୍କୁ ଉପହାର ସ୍ବରୂପ ଦିଆଯାଉଥିବା ନେଇ କୃଷକକୁ କହିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ଯେତେବେଳେ ସାର ଏବଂ ମଞ୍ଜି କଥା ଆସେ, ସେତେବେଳେ କୃଷକମାନଙ୍କ ଉପରେ ଚାପ ପକାଇ ଦିଆଯାଉଥିବା କଥା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
ଦେଶର ମେରୁଦଣ୍ଡ କୃଷକ: ରାହୁଲ ଗାନ୍ଧୀ କୃଷକମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ କାମ କରିବାକୁ ଚେଷ୍ଟା କରୁଛନ୍ତି । ସେ ତିନିଟି କଳା ନିୟମ ଆଣି କୃଷକମାନଙ୍କଠାରୁ ତାଙ୍କ ଅଧିକାର ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସମଗ୍ର ଦେଶର କୃଷକ ଏହା ବିରୋଧରେ ଛିଡ଼ା ହେବା ସହିତ ଲଢ଼େଇ କରିଥିଲେ । ତେଣୁ ସମସ୍ତଙ୍କ ଜୀବନ ଫେରି ଆସିଛି, ନଚେତ ସମସ୍ତ କୃଷକ ବର୍ବାଦ ହୋଇ ଯାଇଥାଆନ୍ତେ । ମୁଁ ଭାବୁଛି କୃଷକମାନେ ଆମ ଦେଶର ମେରୁଦଣ୍ଡ । ଆରବପତିମାନଙ୍କର 14 ଲକ୍ଷ କୋଟିକୁ ଛାଡ଼ କରା ଯାଇଥିଲା। କିନ୍ତୁ କୃଷକମାନଙ୍କର ଋଣ ଛାଡ଼ କରାଯାଇ ପାରିଲା ନାହିଁ । ଦେଶର ଅନ୍ନଦାତାଙ୍କ ପ୍ରତି ନ୍ଯାୟ ହେବା ଉଚିତ ।"