ହାଇଦ୍ରାବାଦ: ଅଡୁଆରେ ଅନଲାଇନ ଟାକ୍ସି ସେବା ପ୍ରଦାନ କରୁଥିବା କମ୍ପାନୀ Ola ଓ Uber । ସରକାରଙ୍କ ପକ୍ଷରୁ ଉଭୟ କମ୍ପାନୀକୁ ଭାରତ ସରକାରଙ୍କ କେନ୍ଦ୍ରୀୟ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥୋରିଟି ବା ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଗୁରୁବାର ନୋଟିସ କରିଥିଲେ । ଆଣ୍ଡ୍ରଏଡ୍ ଏବଂ ଆପଲ୍ ୟୁଜରଙ୍କଠାରୁ କମ୍ପାନୀ ଦୁଇଟି ଅଲଗା ଅଲଗା ଭଡ଼ା ନେଉଥିବା ଅଭିଯୋଗ ହୋଇଥିଲା । ସରକାରଙ୍କ ପକ୍ଷରୁ ନୋଟିସ ଜାରି ହେବା ପରେ ଆଜି ପ୍ରତିକ୍ରିୟା ରଖିଛି Uber ।
ନୋଟିସ ଜାରି କରିଥିଲେ ସରକାର
କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି (23 ଜାନୁଆରୀ) X ସାଇଟ୍ରେ ଏକ ପୋଷ୍ଟ କରି ଉଭୟ କମ୍ପାନୀକୁ ଏ ସମ୍ପର୍କରେ ଜବାବ ମାଗି ଲେଖିଥିଲେ, "ଆଇଫୋନ ଓ ଆଣ୍ଡ୍ରଏଡ୍ ମଡେଲ ନେଇ ଅଲଗା ଅଲଗା ଭଡ଼ା ନେବା ଉପରେ Ola ଓ Uber ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଉଭୟ କମ୍ପାନୀକୁ ନୋଟିସ ଜାରି ହୋଇଛି । ଏ ନେଇ ସେମାନଙ୍କୁ ଜବାବ ମଗାଯାଇଛି ।"
As a follow-up to the earlier observation of apparent #DifferentialPricing based on the different models of mobiles (#iPhones/ #Android) being used, Department of Consumer Affairs through the CCPA, has issued notices to major cab aggregators #Ola and #Uber, seeking their…
— Pralhad Joshi (@JoshiPralhad) January 23, 2025
କଣ କହିଲା Uber ?
ନ୍ୟୁଜ ଏଜେନ୍ସି ରଏଟର୍ସକୁ ଉବର ମୁଖପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ଯାତ୍ରୀଙ୍କ ଫୋନ ମଡେଲ ନିର୍ମାତାଙ୍କୁ ନେଇ କୌଣସି ଭଡ଼ା ନେଇନଥାଉ । ଏହି ଭୁଲ ବୁଝାମଣାକୁ ଦୂର କରିବା ଲାଗି ଆମେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ।" ଆଇଫୋନ ଓ ଆଣ୍ଡ୍ରଏଡ ୟୁଜରଙ୍କଠାରୁ କମ୍ପାନୀ ଭିନ୍ନ ଭିନ୍ନ ଭଡ଼ା ନେଉଥିବା ଅଭିଯୋଗ ପରେ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିଲା ।
ଆମେରିକା ଓ କାନାଡା ବଜାର ପରେ ଭାରତ ଉବର ଲାଗି ଏକ ପ୍ରମୁଖ ବଜାର । କମ୍ପାନୀର ମୁକାବିଲା ଭାରତରେ ସଫ୍ଟବ୍ୟାଙ୍କ ସମର୍ଥିତ ଓଲା ଏବଂ ସ୍ଥାନୀୟ ପ୍ରତିଦ୍ବନ୍ଦ୍ବୀ ରାପିଡୋ ଏବଂ ଅନ୍ୟତମ ଅନଲାଇନ ଟାକ୍ସିଂ ବୁକିଂ ବ୍ଲୁସ୍ମାର୍ଟ ଭଳି ଅଲ-ଇଲେକଟ୍ରିକ୍ ରାଇଡ-ହେଲିଂ ଆପ୍ ସହ ଲାଗି ରହିଛି । କମ୍ପାନୀ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଗତ ମାସ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ 'ଡିଫରେନ୍ସିଆଲ ପ୍ରାଇସିଂ'କୁ 'ଅନୁଚିତ୍ ବ୍ୟାପାର ପ୍ରଥା' ବୋଲି କହିଥିଲେ, ଯାହାକି ସମ୍ପୂର୍ଣ୍ଣ ଭାବେ ଉପଭୋକ୍ତା ଅଧିକାରର 'ସ୍ପଷ୍ଟ ଉଲ୍ଲଙ୍ଘନ' ।