ଓଡିଶା

odisha

ETV Bharat / bharat

14 ଫେବୃଆରୀ ଭାରତ ପାଇଁ କଳା ଦିବସ; ଦେଶ ହରାଇଥିଲା 44 ବୀରପୁତ୍ର - ପୁଲୱାମା ଆକ୍ରମଣ

Pulwama Terror Attack: ପୁଲୱାମା ଆକ୍ରମଣକୁ 5 ବର୍ଷ । ଭାରତ ପାଇଁ କଳା ଦିବସ । ଜମ୍ମୁ କାଶ୍ମୀରର ପୁଲୱମାରେ ଆତଙ୍କୀ ଆକ୍ରମଣରେ 44 ବୀର ଯବାନ ଶହୀଦ ହୋଇଥିଲେ । ଆଜି ବି ବୀରପୁତ୍ରକୁ ଝୁରୁଛି ମାଟି । ଅଧିକ ପଢନ୍ତୁ

ପୁଲୱାମା ଆକ୍ରମଣ
Pulwama Terror Attack

By ETV Bharat Odisha Team

Published : Feb 14, 2024, 11:08 AM IST

ହାଇଦ୍ରାବାଦ:2019 ମସିହା ଫେବୃଆରୀ 14 ତାରିଖ । ସାରା ଦେଶ ପାଇଁ ଥିଲା କଳା ଦିନ । ପ୍ରେମର ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁର ପୁଲୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣରେ 44 ବୀର ଯବାନ ଶହୀଦ ହୋଇଯାଇଥିଲେ । ଏ ଖବର ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପ୍ରତିଶୋଧ ନେବାକୁ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ 5 ବର୍ଷ ପୂରଣ ହୋଇଛି । ଦେଶମାତୃକାର ସେବାରେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ଝୁରୁଛି ଦେଶ । ବୀଭତ୍ସ ଆଉ ଅଭିଶପ୍ତ ଦିନ ଆଜି ବି ମନରୁ ଲିଭିନି । ଏବେ ବି ବୀରପୁତ୍ରକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି ।

ବିସ୍ଫୋରକ ଭର୍ତ୍ତି କାର ସହିତ ଧକ୍କା ହୋଇଥିବା ସେନା ବସ୍: 2019 ମସିହା ଫେବୃଆରୀ 14 ତାରିଖ ସମୟ 3ଟା 30 ମିନିଟ ସମୟରେ ସିଆରପିଏଫ 180 ବାଟାଲିଅନର 800 ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତରିତ ହେଉଥିଲେ । ପୁଲୱାମା ମାଇଲଷ୍ଟୋନ 272 ଅଞ୍ଚଳରେ ହଠାତ୍ ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ ଟାଟା ସୁମୋ ସେନା ବସକୁ ଧକ୍କା ଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରାଜରାସ୍ତା ରକ୍ତରଞ୍ଜିତ ହେବା ସହିତ 44 ଜଣ ବୀର ଯବାନ ଶହୀଦ ହୋଇଥିଲେ । ଏହି ଦିନକୁ କଳାଦିବସ ଭାବେ ମନେ ରଖିଛନ୍ତି ଦେଶବାସୀ । ଶହୀଦ ହୋଇଥିବା 44 ଜଣ ବୀରପୁତ୍ରଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଥିଲେ । ଜଗତସିଂହପୁର ଜିଲ୍ଲାର ପ୍ରସନ୍ନ ସାହୁ ଏବଂ କଟକ ନିଆଳିର ମନୋଜ କୁମାର ବେହେରା । ଆଜି ବି ବୀର ଯବାନ ପୁଅକୁ ହରାଇ ପରିବାର ବାହୁନି ବାହୁନି କାନ୍ଦୁଛି ।

ଭାରତର ପ୍ରତିଶୋଧ: ପୁଲୱାମାରେ ଶହୀଦ ହୋଇଥିବା 44 ଜଣ ଯବାନଙ୍କ ତ୍ୟାଗର ଉଚିତ ଜବାବ ଦେବା ପାଇଁ ଶତ୍ରୁ ପକ୍ଷ ବିରୋଧରେ ଏକ ବଡ଼ ଆକ୍ରମଣର ଯୋଜନା ରଚିଥିଲା ଭାରତ । ବାୟୁସେନା ଆକାଶ ମାର୍ଗରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରିଥିବା ବେଳେ ସିଆରପିଏଫ ଯବାନ ସ୍ଥଳ ମାର୍ଗରେ ଅତି ଚତୁରତାର ସହିତ ଶତ୍ରୁଘରକୁ ପ୍ରବେଶ କରିଥିଲେ । ଯୋଜନାବଦ୍ଧ ଭାବେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ବଂସ କରି ଦେଇ ଏହି ଦିନ ବିଜୟର ବାନା ଉଡାଇଥିଲେ । 2019, 26 ଫେବୃଆରୀ ତାରିଖରେ, ଭାରତୀୟ ବାୟୁସେନା 1971 ଇଣ୍ଡୋ-ପାକ୍ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ LOC ଅତିକ୍ରମ କରିଥିଲା ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଭିତରେ ବାଲାକୋଟରେ ଜୈଶ-ଇ-ମହମ୍ମଦ ତାଲିମ ଶିବିରରେ ଏକ ଶକ୍ତ ଧକ୍କା ଦେଇଥିଲା । ପୁଲୱାମାରେ CRPF ଯବାନଙ୍କ ଗାଡ଼ି ଉପରେ ଆତ୍ମଘାତୀ ବୋମା ଆକ୍ରମଣର ପ୍ରତିଶୋଧ ଭାବରେ ଏହି ସାହସିକତାପୂର୍ଣ୍ଣ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୁଲୱାମା ଆକ୍ରମଣକୁ ଦୁଇବର୍ଷ, ବୀରପୁତ୍ରଙ୍କୁ ଝୁରୁଛି ଦେଶ

ତେବେ ପୁଲୱାମା ଆକ୍ରମଣକୁ 5 ବର୍ଷ ପୂର୍ତ୍ତି ହୋଇଥିବା ବେଳେ ବୀରପୁତ୍ରକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି କହିଛନ୍ତି, "ପୁଲୱାମାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଦେଶ ପାଇଁ ସେମାନଙ୍କର ସେବା ଏବଂ ବଳିଦାନ ସର୍ବଦା ମନେ ରହିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details