ଲକ୍ଷ୍ନୌ: କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି କାଶୀର ବିବାଦୀୟ ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଦିନକ ପୂର୍ବରୁ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିଥିଲା । ଜିଲ୍ଲା ପ୍ରଶାସନ ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ସହ ସପ୍ତାହକ ମଧ୍ୟରେ ପୂଜା ଆରମ୍ଭ ହେବା ନେଇ କୋର୍ଟରୁ ଅନୁମତି ମିଳିଥିଲା । ବିଳମ୍ବ ନକରି ମସଜିଦର ବେସମେଣ୍ଟ ବା ତେହଖାନାରେ ଆଜିଠାରୁ ପୂଜାର୍ଚ୍ଚନା ଆରମ୍ଭ କରିଛି ହିନ୍ଦୁପକ୍ଷ । ତେହଖାନାରେ ଏକାଧିକ ଠାକୁରଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନା କରାଯାଇଛି । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଯୁକ୍ତ ହୋଇଥିବା ପୂଜାରୀ ଏଠାରେ ନିୟମିତ ପୂଜା କରିବେ । ପୂଜା ଆରମ୍ଭ ହୋଇଥିବା ଓ ଏହାର ଦୈନିକ ନୀତିକାନ୍ତି ସମ୍ପର୍କରେ ହିନ୍ଦୁପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦୈନିକ 5ଥର ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି କରାଯିବା ନେଇ ଜୈନ ଟ୍ବିଟରେ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ମସଜିଦରେ ପୂଜା ଆରମ୍ଭ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । କୋର୍ଟରୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ, ମସଜିଦର ଦକ୍ଷିଣରେ ଥିବା ‘ବ୍ୟାସଜୀ କା ତେହଖାନ’ରେ ଏହି ପୂଜା ହୋଇଛି । ଆଜି କେବଳ ପୂଜକ ଓ ହିନ୍ଦୁପକ୍ଷର ନିର୍ଦ୍ଦିଷ୍ଟ ଅଧିକୃତ ଶ୍ରଦ୍ଧାଳୁ ମସଜିଦ ମଧ୍ୟରେ ପ୍ରବେଶ କରିଛନ୍ତି । ବାହାରେ ଉତ୍ତର ପ୍ରଦେଶ ପୋଲିସର ସଶସ୍ତ୍ର ଯବାନ ମୁତୟନ ରହିବେ । ତେବେ 1993 ପର୍ଯ୍ୟନ୍ତ ଏଠାରେ ପୂଜା ହେଉଥିବା ଓ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ବିରୋଧରେ କାଶୀର ବ୍ୟାସ ପରିବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।