ଭୁବନେଶ୍ବର: ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରେ ରାଷ୍ଟ୍ରପତି ସିଧା ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଜନତା ମୈଦାନରେ ଜାରି ରହିଥିବା ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ର ଅନ୍ତିମ କାର୍ଯ୍ୟକ୍ରମରେ ଆସନ୍ତାକାଲି ସେ ଅଂଶଗ୍ରହଣ କରିବେ ।
- ରାଜଭବନରେ ରାତ୍ରିଯାପନ
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଅନ୍ୟ କିଛି ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ବିମାନ ବନ୍ଦର ବାହାରେ ପାରମ୍ପରିକ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବାକୁ ମଧ୍ୟ ବ୍ୟବସ୍ଥା ହୋଇଥିଲା । ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ କଡା ସୁରକ୍ଷା ବଳୟ ମଧ୍ୟରେ ରାଜଭବନରେ ପହଞ୍ଚିଛି । ଆଜି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ ।
ଏହା ମଧ୍ୟ ପଢ଼ନ୍ତୁ-'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARA |
- କାଲି ପ୍ରବାସୀ ସମ୍ମିଳନୀରେ ଅଂଶଗ୍ରହଣ
ଗତକାଲି (ବୁଧବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ଆଜି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି (୯ ତାରିଖ) ଏହି ତ୍ରିଦିବସୀୟ ସର୍ବଭାରତୀୟ କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଛି । ଉଦଯାପନୀ ସମାରୋହର ଅତିଥି ହେବେ ରାଷ୍ଟ୍ରପତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରବାସୀ ଭାରତୀୟ ଅତିଥିମାନେ ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଉଦଯାପିତ ହେବ । ଏହି ସମ୍ମିଳନୀ ଚଳିତବର୍ଷ ୧୮ତମ ସଂସ୍କରଣରେ ପହଞ୍ଚିଥିବା ବେଳେ ପ୍ରଥମ ଥର ଓଡିଶାରେ ଆୟୋଜିତ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର