ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସୌଧ ପରିସରରେ ଦିଆଯାଇଥିଲା ପାକିସ୍ତାନ ସମର୍ଥିତ ନାରା । ଆଜି ଫୋରେନସିକ ଲ୍ୟାବ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ଏହିକ୍ରମରେ 3 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କୁ ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା । ପୋଲିସ ସେମାନଙ୍କୁ 3 ଦିନିଆ ରିମାଣ୍ଡରେ ନେଇଛି । ସେମାନଙ୍କୁ ଜେରା କରାଯାଉଛି । ଏଥିରେ ଅନ୍ୟକେହି ସମ୍ପୃକ୍ତ ଥିଲେ ମଧ୍ୟ ଗିରଫ ହେବେ ବୋଲି କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ବର ।
ଆଜି ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ପରମେଶ୍ବର ପ୍ରେସମିଟ କରି କହିଛନ୍ତି, ସରକାର ଏହି ମାମଲାରେ ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତିନି ଅଭିଯୁକ୍ତ ଏବେ ପୋଲିସ ରିମାଣ୍ଡରେ ଅଛନ୍ତି । ଗତକାଲି ସେମାନଙ୍କୁ ଗିରଫ କରଯାଇଥିଲା । ଅଭିଯୋଗ ଅନୁସାରେ, ସେମାନେ ବିଧାନସୌଧ ପରିସରରେ ପାକିସ୍ତାନ ସମର୍ଥିତ ନାରା ଦେଇଥିବା ଫେରେନସିକ ଲ୍ୟାବ ରିପୋର୍ଟରେ ସ୍ପଷ୍ଟ ହୋଇଛି । ସେମାନେ ଏପରି କାହିଁକି ଏପରି କରିଛନ୍ତି, ତାହା ତଦନ୍ତ ପରେ ଜଣାପଡିବ । ଏବେ 3 ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ, ସେମାନେ ମଧ୍ୟ ଖୁବଶିଘ୍ର ଗିରଫ ହେବେ ।
ତେବେ ସୂଚନା ଅନୁସାରେ, ଫେବୃଆରୀ 27 ରେ ରାଜ୍ୟସଭା ନିର୍ବାଚନ ସମୟରେ କର୍ଣ୍ଣାଟକ ବିଧାନସୌଧ ପରିସରରେ ଏହି ନାରା ଲଗାଯାଇଥିଲା । କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ନାସିର ହୁସେନ୍ଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଏହି ନାରା ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଏବେ ସୁଦ୍ଧା ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀର ଇଲତାଜ, ବେଙ୍ଗାଲୁରୁର ମୁନାଭର୍ ଏବଂ କର୍ଣ୍ଣାଟକର ହାଭେରୀର ବାସିନ୍ଦା ମହମ୍ମଦ ଶାଫି ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।