ଓଡିଶା

odisha

ETV Bharat / bharat

ସଂସଦରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି, ସମ୍ବିଧାନ ଧରି ନେଲେ ଶପଥ ,ପାର୍ଲାମେଣ୍ଟରେ ଗାନ୍ଧୀ ପରିବାରରୁ ୩ - PRIYANKA GANDHI IN PARLIAMENT

କେରଳୀ ଶାଢୀ ସହ ହାତରେ ସମ୍ବିଧାନ ଧରି ସଂସଦରେ ଏଣ୍ଟ୍ରି କଲେ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଗୃହରେ ଏକାଠୀ ନଜର ଆସିବେ ଗାନ୍ଧୀ ପରିବାରର ୩ ସଦସ୍ୟ ସୋନିଆ-ରାହୁଲ-ପ୍ରିୟଙ୍କା ।

ସଂସଦରେ ପ୍ରିୟଙ୍କାଙ୍କ ଏଣ୍ଟ୍ରିଂ, ହାତରେ ସମ୍ବିଧାନ ଧରି ନେଲେ ଶପଥ
ସଂସଦରେ ପ୍ରିୟଙ୍କାଙ୍କ ଏଣ୍ଟ୍ରିଂ, ହାତରେ ସମ୍ବିଧାନ ଧରି ନେଲେ ଶପଥ (ETV Bharat Odisha)

By ETV Bharat Odisha Team

Published : Nov 28, 2024, 2:57 PM IST

Updated : Nov 29, 2024, 8:29 AM IST

ନୂଆଦିଲ୍ଲୀ:କେରଳ ୱାୟନାଡ ସଂସଦୀୟ କ୍ଷେତ୍ରରୁ ଉପ-ନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି କଂଗ୍ରେସର ଚର୍ଚ୍ଚିତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ଆଜି ଲୋକସଭା ସାଂସଦ ପଦର ଶପଥ ଗ୍ରହଣ କରିଛନ୍ତି । ଲୋକସଭାରେ ବାଚସ୍ପତି ଓମ ବିର୍ଲା ତାଙ୍କୁ ସଂସଦର ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସଂସଦ ପ୍ରବେଶ ଓ ଶପଥ ବିଧି କାର୍ଯ୍ୟକ୍ରମରେ ପ୍ରିୟଙ୍କାକୁ ବେଶ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ଦାକ୍ଷିଣାତ୍ୟରୁ ଜନପ୍ରତିନିଧିତ୍ବ ପାଇଥିବା ପ୍ରିୟଙ୍କା ଶପଥ ଦିବସରେ ପାରମ୍ପରିକ ଦକ୍ଷିଣ-ଭାରତୀୟ ଶାଢୀରେ ନଜର ଆସିଥିଲେ । ହାତରେ ଭାରତୀୟ ସମ୍ବିଧାନର ଏକ କ୍ଷୁଦ୍ର ନମୁନାମୂଳକ ପୁସ୍ତିକା ଧରି ବାଚସ୍ପତିଙ୍କ ପୋଡିୟମରେ ପହଞ୍ଚିଥିଲେ ଓ ପଦ-ଗୋପନୀୟତାର ଶପଥ ପାଠ କରିଥିଲେ ।

  • ପ୍ରିୟଙ୍କାଙ୍କ ଦକ୍ଷିଣ ଷ୍ଟାଇଲ୍‌ ଏଣ୍ଟ୍ରି

ସଂସଦରେ ପହଞ୍ଚିବା ପୂର୍ବରୁ ପ୍ରିୟଙ୍କା ପ୍ରଥମେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଦପ୍ତରରେ ପହଞ୍ଚିଥିଲେ । ସେଠାରେ ସେ ଖଡଗେଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ସଂସଦ ଅଭିମୁଖେ ବାହାରିଥିଲେ । ସେଠାରେ ପହଞ୍ଚିବା ପରେ ଭାଇ ରାହୁଲ ଓ ଅନ୍ୟ ଦଳୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଥିଲେ । ଭାଇ ରାହୁଲ ଅନ୍ୟ ସାଂସଦଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ପ୍ରିୟଙ୍କା ଗୃହକାର୍ଯ୍ୟରେ ସାମିଲ ହେବା ସହ ସାଂସଦ ପଦର ଶପଥ ନେଇଛନ୍ତି ।

  • ଏବେ ସଂସଦରେ ସୋନିଆ-ରାହୁଲ ଓ ପ୍ରିୟଙ୍କା:-

ସଂସଦରେ ଏବେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ । ସାଧାରଣ ନିର୍ବାଚନ ପୂର୍ବରୁ ମା’ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଚ୍ଚସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଭାଇ ରାହୁଲ ଗାନ୍ଧୀ ବିଜୟୀ ହୋଇ ଲୋକସଭା ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏବେ ଉପନିର୍ବାଚନରେ ଭଉଣୀ ପ୍ରିୟଙ୍କା ମଧ୍ୟ ନିର୍ବାଚିତ ହୋଇ ଗୃହରେ ପହଞ୍ଚିଛନ୍ତି । ଲୋକସଭାରେ ପ୍ରିୟଙ୍କା-ରାହୁଲଙ୍କୁ ଦେଖିବାକୁ ମିଳିବାକୁ ଥିବା ବେଳେ କୌଣସି ମିଳିତ ଅଧିବେଶନ ଓ ସଂସଦୀୟ କାର୍ଯ୍ୟକ୍ରମରେ ମା’-ପୁଅ ଓ ଝିଅଙ୍କୁ ଦେଖିବାକୁ ମିଳିବ ।

  • 2019 ରାଜନୀତିକୁ ଆସିଥିଲେ ପ୍ରିୟଙ୍କା:-

52 ବର୍ଷୀୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା 2019 ସାଧାରଣ ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦିକା ଭାବେ ହୋଇଥିବା ପ୍ରିୟଙ୍କା କିନ୍ତୁ ନିଜେ ନିର୍ବାଚନ ଲଢି ନଥିଲେ । ଭାଇ ରାହୁଲଙ୍କ ସହ ଅନେକ ଦଳୀୟ ନେତାଙ୍କ ପାଇଁ ମାରାଥନ ପ୍ରଚାର କରି ବିଜେପି ସରକାରକୁ ଘେରିଥିଲେ । 2024 ସାଧାରଣ ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ସେ ତାଙ୍କ ମା’ଙ୍କ ଆସନ ରାଏବରେଲୀରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧୀ ଆମେଠୀ ଛାଡି ଉଭୟ ଓ୍ବାୟନାଡ ଓ ରାଏ ବରେଲୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ରାହୁଲଙ୍କ ଇସ୍ତଫା ପରେ ଓ୍ବାୟନାଡ ଉପନିର୍ବାଚନରେ ଅଂଶଗ୍ରହଣ କରି ପ୍ରିୟଙ୍କା ପ୍ରାୟ 4 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସଂସଦରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ୱାୟନାଡ଼ରେ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା ଗାନ୍ଧୀ, ବଡ଼ ବିଜୟ ସହ ଲୋକସଭାକୁ ନିର୍ବାଚିତ

  • ପ୍ରିୟଙ୍କା ଗାନ୍ଧୀଙ୍କ ରେକର୍ଡ ବିଜୟ:

ସଂଯୁକ୍ତ ଗାଣତାନ୍ତ୍ରିକ ମେଣ୍ଟ (UDF) ବ୍ୟାନରରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ଼ ଉପନିର୍ବାଚନରେ ବଡ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ରାହୁଲ ଗାନ୍ଧୀ ଏହି ଆସନରୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ୩ ଲକ୍ଷ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ, ପ୍ରିୟଙ୍କା ଗାନ୍ଧୀ ସେହି ରେକର୍ଡ ଅତିକ୍ରମ କରି 4,04,619 ଭୋଟ ବ୍ୟବଧାନ ଛୁଇଁଛନ୍ତି । ପ୍ରିୟଙ୍କାଙ୍କୁ ମୋଟ 6,12,020 ଭୋଟ ମିଳିଥିବା ବେଳେ, LDF ପ୍ରାର୍ଥିନୀ ସତ୍ୟାନ ମୋକେରୀ 2,07,401 ଭୋଟ ସହ ଦ୍ବିତୀୟ ସ୍ଥାନ ଓ BJP ପ୍ରାର୍ଥୀନୀ ନଭ୍ୟା ହରିଦାଶ ମାତ୍ର 1,08,080 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2024, 8:29 AM IST

ABOUT THE AUTHOR

...view details