ନୂଆଦିଲ୍ଲୀ: ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନଭେମ୍ବର 22ରୁ 24 ଯାଏଁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥରକୁ ମିଶାଇ ଏହା ଓଡ଼ିଶା ପର୍ବର ସପ୍ତମ ସଂସ୍କରଣ ।
ଓଡ଼ିଶା ପର୍ବ 2024ରେ ପ୍ରଧାନମନ୍ତ୍ରୀ:
ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ରେ ସାମିଲ ହେଲେ । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପର୍ବରେ ସାମିଲ ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ବିଭିନ୍ନ ଷ୍ଟଲ ବୁଲିବା ସହିତ ଚା’ ପିଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ-
ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ । ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଲେ ପ୍ରଧାନମନ୍ତ୍ରୀ । "ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ । ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ । ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରାଯାଉଥିଲା । ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କରି ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି," ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସାମିଲ ହେବା ନେଇ ଟ୍ବିଟ୍ କରିଥିଲେ ମୋଦି-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ ଘଟିକା ୩୦ ମିନିଟରେ ନୂଆଦିଲ୍ଲୀରେ ଆୟୋଜିତ "ଓଡ଼ିଶା ପର୍ବ ୨୦୨୪" କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଟ୍ବିଟ୍ କରିଥିଲେ ।
ସାମିଲ ହୋଇସାରିଛନ୍ତି ରାଷ୍ଟ୍ରପତି-
ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ କାର୍ଯ୍ୟକ୍ରମର ଶୁଭାରମ୍ଭରେ ଶୁକ୍ରବାର ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦେଖିଥିଲେ । ରାଷ୍ଟ୍ରପତି କହିଥିଲେ କି, "ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ଏବଂ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏହି ପର୍ବ । ରାଜ୍ୟ ବାହାର ଲୋକଙ୍କ ନିକରେ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ପହଞ୍ଚାଉଛି ଏହି ପର୍ବ ।"
ଶନିବାର ବୁଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଓଦିଶା ପର୍ବ 2024ରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ସୋସିଆଲ ମିଡିରେ କେନ୍ଦ୍ରମନ୍ତ୍ରୀ ଲେଖିଥିଲେ କି, "ନୂଆଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ପର୍ବ - ୨୦୨୪’ର ଦ୍ୱିତୀୟ ଦିନରେ ଓଡ଼ିଶାରୁ ଆସିଥିବା ପ୍ରତିଭାବାନ କଳାକାର, କଣ୍ଟେଣ୍ଟ୍ କ୍ରିଏଟର୍, ଅଂଶଗ୍ରହଣକାରୀ, ଆୟୋଜକ ‘ଓଡ଼ିଆ ସମାଜ’ର ସ୍ୱେଚ୍ଛାସେବୀ ଏବଂ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ବନ୍ଧୁମାନଙ୍କୁ ଭେଟି ଆନନ୍ଦିତ । ଆମ ଓଡ଼ିଶାର ବିଭବ ଓ ପରିଚୟକୁ ଆଗକୁ ନେବାରେ ଯୋଗଦାନ ଦେଉଥିବା ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ।"
ଏହା ମଧ୍ୟ ପଢନ୍ତୁ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’
ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ:
କାର୍ଯ୍ୟକ୍ରମର ଆରମ୍ଭ ଦିନ ଓଡିଶା ପର୍ବ 2024ରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ କି, "ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ 'ଓଡ଼ିଶା ପର୍ବ-୨୦୨୪' ପାଳନ ଅବସରରେ ଯୋଗଦେଲି । ଏହି ତିନି ଦିନିଆ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଗରିମାମୟ ଉପସ୍ଥିତି, ଉତ୍ସବର ଶୋଭା ଏବଂ ଭବ୍ୟତାକୁ ବହୁଗୁଣିତ କରିଛି । ଏଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ବିଶେଷ କୃତଜ୍ଞତା ଜଣାଉଛି। ଏହି ମହୋତ୍ସବ ହେଉଛି ଓଡ଼ିଶାର କଳା, ସାଂସ୍କୃତିକ ପରମ୍ପରା ଏବଂ ଐତିହ୍ୟର ଏକ ମହାନ ନିଦର୍ଶନ । ଏଠାରେ ବସବାସ କରୁଥିବା ଓଡ଼ିଆଙ୍କ ନିଜ ମାଟି ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଏବଂ ଉତ୍ସାହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରମାଣିତ ହେଉଛି ।
ଓଡ଼ିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ଏବଂ ଅନ୍ଯାନ୍ଯ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନେ ଯେପରି ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଆମ ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ଏବଂ ପରମ୍ପରା ଅତି ମହାନ। ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ଆମ ସରକାର ପ୍ରଥମ ଦିନରୁ ହିଁ ଗୁରୁତ୍ଵ ଦେଉଛନ୍ତି। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଁ ଶ୍ରୀମନ୍ଦିରର ଚାରି ଦୁଆର ଖୋଲିବା, ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହ ରତ୍ନ ଭଣ୍ଡାର ସୁରକ୍ଷା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
୨୦୦ କୋଟି ଟଙ୍କାର ଏକ ସ୍ଵତନ୍ତ୍ର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି, କଳାକାରମାନଙ୍କୁ ସହାୟତା ଦେବା ପାଇଁ ୭୨ କୋଟି ଟଙ୍କା ସହ କିର୍ତ୍ତୀରାଜିର ସଂରକ୍ଷଣ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ସ୍ଵତନ୍ତ୍ର ଓଡ଼ିଆ ଅସ୍ମିତା ଭବନ, ଓଡ଼ିଆ ଅନୁବାଦ ଏକାଡେମି ପ୍ରତିଷ୍ଠା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଳା, ସଂସ୍କୃତି ସହ ଆର୍ଥିକ ବିକାଶକୁ ଧ୍ୟାନରେ ରଖି ଲୋକଙ୍କ ସରକାର ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରୁଛନ୍ତି । ଆସନ୍ତା ୨୮ ଏବଂ ୨୯ ଜାନୁଆରୀ - ୨୦୨୫ରେ ଭୁବନେଶ୍ବର ଠାରେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ଆୟୋଜନ ହେବାକୁ ଯାଉଛି । ଏଥିରେ ବିଶ୍ଵର ବଡ ବଡ କମ୍ପାନୀ ଆସିବା ସହ ରାଜ୍ଯରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ।