କୋଲକାତା:ପଶ୍ଚିମବଙ୍ଗର ବିଭିନ୍ନ ଜେଲ ଓ ସୁଧାରଗୃହରେ ବନ୍ଦ ଥିବା ମହିଳା କଏଦୀମାନେ ଗର୍ଭବତୀ ହେବା ସଂଖ୍ୟା ବଢିବାରେ ଲାଗିଛି । ଆଜି ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ମହିଳା କଏଦୀଙ୍କ ଯୌନଶୋଷଣ ପରି ଚାଞ୍ଚଲ୍ୟକର ସ୍ଥିତିର ପ୍ରମାଣ ମିଳିବା ପରେ କୋଲକାତା ଉଚ୍ଚନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଗତ କିଛି ମାସ ମଧ୍ୟରେ ବିଭିନ୍ନ ଜେଲ ଓ ସୁଧାରଗୃହରେ ସଜ୍ଜା କାଟୁଥିବା ମହିଳା କଏଦୀମାନେ 196 ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।
ପଶ୍ଚିମବଙ୍ଗର ଜେଲ ଓ ସୁଧାରଗୃହ ନୀତିରେ ସଂସ୍କାର ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଜି କୋଲକାତା ହାଇକୋର୍ଟରେ ଏହି ସମ୍ପର୍କିତ ମାମଲାର ଶୁଣାଣି ବେଳେ ଆମିକସ୍ କ୍ୟୁରି ଏହି ତଥ୍ୟ ରଖିଥିଲେ । ରାଜ୍ୟର ବିଭିନ୍ନ ଜେଲ ଓ ସୁଧାରଗୃହରେ ଗତ କିଛି ମାସ ମଧ୍ୟରେ ମୋଟ 196 ଶିଶୁ ଜନ୍ମ ନେଇଛନ୍ତି । ମୁଖ୍ୟ ବିଚାରପତି ଟି.ଏସ୍ ସିବଗାନନମ ଓ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ତଥ୍ୟରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପରାଧିକ ମାମଲାର ବିଶେଷଜ୍ଞଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚରେ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଆମିକସ୍ କ୍ୟୁରି ଏହି ସମସ୍ୟାର ସମାଧାନ ପାଇଁ ଏକାଧିକ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ପରାମର୍ଶ ମଧ୍ୟ ଖଣ୍ଡପୀଠଙ୍କ ନିକଟରେ ରଖିଛନ୍ତି । ମହିଳା କଏଦୀମାନେ ବନ୍ଦ ଥିବା ସୁଧାରଗୃହ ଓ ଜେଲରେ ପୁରୁଷ କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି । ମହିଳା କଏଦୀମାନଙ୍କୁ ରଖାଯାଇଥିବା ଏନକ୍ଲୋଜରରେ ପୁରୁଷ କର୍ମଚାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ କୋର୍ଟଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ ।