ଓଡିଶା

odisha

ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: ସକାଳୁ ହୋମଯଜ୍ଞ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ... - Ayodhya

Historic Ram temple consecration ceremony in Ayodhya: ଦିବ୍ୟ ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା । କେମିତି ରହିଛି ପୁରା କାର୍ଯ୍ୟକ୍ରମର ନୀତି ନିର୍ଘଣ୍ଟ ଜାଣନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ...
ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ...

By ETV Bharat Odisha Team

Published : Jan 21, 2024, 11:02 PM IST

Updated : Jan 22, 2024, 10:29 AM IST

ଅଯୋଧ୍ୟା:ଅନ୍ତ ହେବାକୁ ଯାଉଛି ଦୀର୍ଘ ବର୍ଷର ପ୍ରତୀକ୍ଷା । ରାମ ଜନ୍ମଭୂମି ଅଯୋଧ୍ୟାରେ ବିରାଜିବେ ପ୍ରଭୁ ଶ୍ରୀରାମ । ଆରଧ୍ୟଙ୍କୁ ଫେରି ପାଇବ ରାମ ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉମାତ୍ର କିଛି ଘଣ୍ଟା ବାକିଥିବା ବେଳେ ସାରା ଦେଶ ଏବେ ରାମମୟ ହୋଇଛି । ଐତିହାସିକ ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବା ପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠାର ସୀମା ନାହିଁ । ଆସନ୍ତାକାଲି ମଧ୍ୟାହ୍ନ 12.15ରୁ ଅପରାହ୍ନ 1ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବ । କାଶୀର ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଗହଣରେ ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବ୍ୟ ସମାରୋହରେ ସାମିଲ ଦେଶ ଓ ବିଦେଶର ପ୍ରାୟ 7 ହଜାର ବିଶିଷ୍ଟ ନିମନ୍ତ୍ରିତ ଅତିଥି । ଦୂରଦର୍ଶନରେ ଏହି ଭବ୍ୟ କ୍ଷଣର ସାକ୍ଷୀ ବନିବେ କୋଟି କୋଟି ଭାରତୀୟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ କେବଳ ମାହେନ୍ଦ୍ର ବେଳାକୁ ଅପେକ୍ଷା ।

ଜାନୁଆରୀ 16ରୁ ପ୍ରାକ ବିଧି ଭାବେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଜାରି ରହିଛି । ଯାହା ଆସନ୍ତାକାଲି ପୂର୍ବାହ୍ନରେ ଶେଷ ହେବା ପରେ ମୁଖ୍ୟ ବିଧି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । 18 ତାରିଖରୁ ପ୍ରଭୁଙ୍କ ଶ୍ରୀବିଗ୍ରହ ଗର୍ଭଗୃହ ସ୍ଥିତ ସିଂହାସନରେ ସ୍ଥାପନ ହୋଇସାରିଛନ୍ତି । ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦିତ ହେବା ସହ ଜୀବନ୍ୟାସ ପାଇବେ ପ୍ରଭୁ ଶ୍ରୀରାମ । ପୁରା କାର୍ଯ୍ୟକ୍ରମ ପାଇଁ ନୀତି ନିର୍ଘଣ୍ଟ ସରିଛି । ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ, ସମସ୍ତ ପ୍ରକ୍ରିୟା ପ୍ରର୍ଯ୍ୟାୟକ୍ରମେ ଶେଷ ହେବ ।

କିପରି ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:-

  • ସକାଳୁ ହୋମଯଜ୍ଞ ଆରମ୍ଭ:-ରାମ ଜନ୍ମଭୂମି ପରିସରରେ ସକାଳୁ ଆରମ୍ଭ ହେବ ହୋମଯଜ୍ଞ ।
  • ପୂର୍ବାହ୍ନ 9ରୁ ପ୍ରବେଶ କରିବେ ଅତିଥି:-9ରେ ମନ୍ଦିର ପରିସରରେ ପ୍ରବେଶ କରିବେ ଅତିଥି । ସମସ୍ତଙ୍କ ପାଇଁ ନିର୍ଦ୍ଧାରିତ ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକାଧିକ ସ୍ତରର ସୁରକ୍ଷା ଯାଞ୍ଚ ପରେ ଅତିଥିମାନେ ନିର୍ଦ୍ଧାରିତ ଆସନ ନିକଟରେ ପହଞ୍ଚିବେ । ସେମାନଙ୍କୁ ସହାୟତା କରିବା ପାଇଁ ସ୍ବଚ୍ଛାସେବୀମାନେ ଉପସ୍ଥିତ ରହିବେ ।
  • 12.15 ରୁ 12.45 ମଧ୍ୟରେ ପ୍ରାଣ ପ୍ରତିଷ୍ଠା:-ମଧ୍ୟାହ୍ନ 12.15ରୁ ଆରମ୍ଭ ହୋଇ 12.45 ମିନିଟ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବ । ଗର୍ଭଗୃହରେ ପଣ୍ଡିତ ମଣ୍ଡଳୀ ଓ ମୁଖ୍ୟ କର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ସହ ଅଳ୍ପ କେତେଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ ।
  • 12.20 ରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀବିଗ୍ରହଙ୍କ ଚକ୍ଷୁମୁକ୍ତ କରିବେ ପ୍ରଧାନମନ୍ତ୍ରୀ । ଏହା ପରେ ପ୍ରଥମ ଆଳତି ଆରମ୍ଭ ହେବ ।
  • ଏହା ପରେ ସ୍ବତନ୍ତ୍ର ନୀତିକାନ୍ତି ଶେଷ ହେବା ପରେ ଅନ୍ୟ ଶ୍ରଦ୍ଧାଳୁମାନେ ଅପରାହ୍ନ 1ଟାରୁ ଦର୍ଶନର ସୁଯୋଗ ପାଇବେ ।
  • 2.15 ରେ ପ୍ରଧାନମନ୍ତ୍ରୀ ମୋଦି କୁବେର ଟିଲାରେ ଥିବା ଶିବମନ୍ଦିରରେ ଦର୍ଶନ କରିବେ ।
  • ଅଯୋଧ୍ୟାରେ 4 ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ

ଦର୍ଶନ ଓ ଆଳତୀ ସମୟ:- ଜାନୁଆରୀ 23 (ମଙ୍ଗଳବାର) ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ମୁକ୍ତ କରାଯିବ । ଏଥିପାଇଁ ଦୁଇଟି ସମୟ ନିର୍ଦ୍ଧାରିତ ହୋଇଛି । ପୂର୍ବାହ୍ନ 7 ଟାରୁ 11.30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟୟ ଦର୍ଶନ ପରେ ମନ୍ଦିର ପହୁଡ ପଡିବ । ପୁଣି ଅପରାହ୍ନରେ 2 ଟାରୁ ସଂଧ୍ୟା 7 ଟା ପର୍ଯ୍ୟନ୍ତ ଦର୍ଶନ ହେବ ।

ଦୈନିକ 3 ଟି ଆଳତୀ:-

1 ଶୃଙ୍ଗାର ଆଳତୀ:- ଭୋର 6.30 ମିନିଟରୁ ଆରମ୍ଭ

2. ଭୋଗ ଆଳତୀ:- ମଧ୍ୟାହ୍ନ 12 ଟା

3. ସଂଧ୍ୟା ଆଳତି- 7.30 ମନିଟ

ମାତ୍ର ଏହି ଆଳତିରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପାସ ନେବାକୁ ପଡିବ । ଏହି ପାସ ଅନଲାଇନ ବୁକିଂ ମାଧ୍ୟମରେ କରାଯିବାର ବ୍ୟବସ୍ଥା ହୋଇଛି ।

କେମିତି କରିବେ ଆଳତୀ ବୁକିଂ:-

  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପରିଦର୍ଶନ ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ ।
  • ମୋବାଇଲ୍ ନମ୍ବର ସହିତ ଲଗ୍ ଇନ୍ କରନ୍ତୁ, ଏହା ପରେ ଏକ OTP ଉକ୍ତ ନମ୍ବରରେ ଉପଲବ୍ଧ ହେବ ।
  • ଆଳତି କିମ୍ବା ଦର୍ଶନ ପାଇଁ ଏକ ସ୍ଲଟ୍ ବୁକ୍ କରିବାକୁ ‘ମୋ ପ୍ରୋଫାଇଲ୍’ରେ କ୍ଲିକ କରିବେ ।
  • ପରେ ପସନ୍ଦର ତାରିଖ ଏବଂ ଆରତୀ ସମୟ ବାଛନ୍ତୁ ।
  • ଆବଶ୍ୟକ ପରିଚୟପତ୍ର ପ୍ରଦାନ କରନ୍ତୁ । ଏହା ପରେ ବୁକିଂ କନଫର୍ମ ହୋଇଯିବ ।
  • ଆରତୀ ସମାରୋହ ପୂର୍ବରୁ ମନ୍ଦିର ପରିସରରେ କାଉଣ୍ଟରରୁ ଆପଣଙ୍କର ପାସ୍ ସଂଗ୍ରହ କରନ୍ତୁ


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 22, 2024, 10:29 AM IST

ABOUT THE AUTHOR

...view details