ଓଡିଶା

odisha

IAS ପୂଜାଙ୍କ ଫର୍ଜରୀର ବଡ଼ ପର୍ଦ୍ଦାଫାସ୍, ମାମଲା ରୁଜୁ କଲା UPSC, ଚାକିରି ଯିବା ଥୟ ! - Case filed against IAS Puja Khedkar

By ETV Bharat Odisha Team

Published : Jul 19, 2024, 4:02 PM IST

CASE FILED AGAINST IAS PUJA KHEDKAR: ଦିନକୁ ଦିନ ବଢିବାରେ ଲାଗିଛି ଟ୍ରେନି IAS ପୂଜା ଖେଡକରଙ୍କ ସ୍ଥିତି । ୟୁପିଏସସି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

IAS PUJA KHEDKAR
IAS PUJA KHEDKAR (File Photo)

ମୁମ୍ବାଇ:ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କ ପାଇଁ ବଢିଲା ଅଡୁଆ । ଦିନକୁ ଦିନ ସେ ବିବାଦରେ ଛନ୍ଦି ହୋଇଚାଲିଛନ୍ତି । ଆଜି ୟୁପିଏସସି ପୂଜାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ପୂଜାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ୟୁପିଏସସି । ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ବକୁ କାହିଁକି ବାତିଲ କରାନଯିବ ସେ ନେଇ ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି । ଅନ୍ୟପଟେ ପୋଲିସ ପୂଜାଙ୍କ ମାଆଙ୍କୁ ମଧ୍ୟ ପୁରୁଣା ମାମଲାରେ ଗତକାଲି ଗିରଫ କରିଛି ।

ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଥିବା ବେଳେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ୟୁପିଏସସିର ଅଭିଯୋଗ ଅନୁସାରେ ପୂଜା ନକଲି ପରିଚୟ ଦେଇ ଏକାଧିକ ଥର ପରୀକ୍ଷା ଦେଇଛନ୍ତି । ସେ ନିଜ ନାଁ, ପିତାମାତାଙ୍କ ନାଁ, ଫଟୋ, ଦସ୍ତଖତ ଆଦିରେ ହେରଫେର କରିଥିବା ଅଭିଯୋଗ ହୋଇଛି । ତାଙ୍କୁ କାରଣ ଦର୍ଶାଅ ନୋଟିସରେ ଏହା ମଧ୍ୟ ଉତ୍ତର ରଖିବାକୁ ହେବ ଯେ ଭବିଷ୍ୟତରେ ଏହି ପରୀକ୍ଷା ଦେବା ଉପରେ କାହିଁକି ରୋକ ଲଗାଯିବ ନାହିଁ ।

କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା UPSC ?

ୟୁପିଏସସି ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜାରି କରାଯାଇ ପୂଜାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ନେଇ ସୂଚନା ଦିଆଯାଇଛି । ପୂଜା ଖେଡକର 2022 ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପ୍ରୋବେସନ ପିରିୟଡରେ ଦାମି ଡିମାଣ୍ଡ କରି ଚର୍ଚ୍ଚାକୁ ଆସିବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବାରେ ଲାଗିଛି । ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପର ଅଭିୟୋଗ ରହିଛି । ସେ ଆଇଏଏସ ହେବା ଲାଗି ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷା ପାସ କରିଥିବା ମଧ୍ୟ ଅଭିଯୋଗ ରହିଛି । ନକଲି ଜାତି ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିବା ମଧ୍ୟ ଅଭିଯୋଗ ରହିଛି । କିଛି ନିର୍ଦ୍ଦିଷ୍ଟ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଲାଗି କୋହଳ ନିୟମର ସେ ଦୁରୂପଯୋଗ କରିଛନ୍ତି । ନିଜ ନାଁ ସହିତ ପିତାମାତାଙ୍କ ନାଁ, ଫଟୋ, ଇମେଲ ଆଇଡି, ଦସ୍ତଖତ, ମୋବାଇଲ ନମ୍ବର ଓ ଠିକଣାରେ ହେରଫେର କରିଥିବା ଅଭିଯୋଗ ରହିଛି । ଏହାପରେ ୟୁପିଏସସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କିପରି ଚର୍ଚ୍ଚାର ପରିସରକୁ ଆସିଲେ IAS ପୂଜା ?

ମହାରାଷ୍ଟ୍ରର ପୁଣେରେ ପୂଜା ଖେଡ଼କରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଚର୍ଚ୍ଚାର ପରିସରକୁ ସେତେବେଳେ ଆସିଥିଲେ, ଯେତେବେଳେ ତାଙ୍କର ଦାମି ଡିମାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା । 2022 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଏବଂ କର୍ମଚାରୀଙ୍କ ଦାବି କରିଥିଲେ । ଜିଲ୍ଲାପାଳ ଆଇଏଏସ ସୁହାସ ଦିବାସେଙ୍କ ନିକଟରେ ସେ ଅନେକ ଥର ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ମାତ୍ର ଟ୍ରେନି ପିରିୟଡ (ତାଲିମ ନେବା ସମୟ)ରେ ଥିବାରୁ ତାଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇପାରିବ ନାହିଁ । ଏହା ପରେ ଜିଲ୍ଲାପାଳ ପୂଜାଙ୍କ ଏହି ଦାବି ଗୁଡିକ ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଅବଗତ କରାଇଥିଲେ । ଏହାପରେ ପୂଜାଙ୍କ ବଦଳି କରାଯାଇଥିଲା ।

ପୂଜାଙ୍କ ମାଆ ଗିରଫ (ETV Bharat)

ପୋଲିସ ରିମାଣ୍ଡରେ ପୂଜାଙ୍କ ମାଆ:-

ଏପଟେ ଝିଅ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଗତକାଲି (ଗୁରୁବାର) ପୋଲିସ ପୂଜାଙ୍କ ମାଆ ମନୋରମାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଜମିଜମା ବିବାଦ ମାମଲା ରହିଛି । ସେ ଜମିକୁ ନେଇ ଚାଷୀ ଓ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇ ଧମକାଇ ଥିବା ଅଭିଯୋଗ ରହିଛି । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମନୋରମା ନିଜ ପରିଚୟ ଲୁଚାଇ ପୋଲିସ ନଜରରୁ ଲୁଚି ରହିଥିବା ବେଳେ ଶେଷରେ ତାଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ରାୟଗଡ ଠାରେ ଏକ ଲଜ୍‌ରୁ ତାଙ୍କୁ ଗିରଫ କରାଯାଇଛି । ସେଠାରେ ସେ ନକଲି ଆଧାର କାର୍ଡ ଦେଇ ଲୁଚି ରହିଥିବା ବେଳେ କ୍ୟାବ୍‌ ଡ୍ରାଇଭରକୁ ନିଜ ପୁଅର ପରିଚୟ ଦେଇଥିଲେ । ନକଲି ପରିଚୟ ପତ୍ରରେ ସେ ନିଜ ନାଁକୁ ଇନ୍ଦୁବାଈ ବୋଲି ଦର୍ଶାଇଥିଲେ । ଜୁଲାଇ 20 ତାରିଖ ପର୍ଯ୍ୟନ୍ତ ସେ ପୋଲିସ ରିମାଣ୍ଡରେ ଅଛନ୍ତି ।

ପଢନ୍ତୁ ଅନ୍ୟ କିଛି ଖବର

IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ

ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ, ହାତରୁ ଯାଇପାରେ ଚାକିରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details