ନୂଆଦିଲ୍ଲୀ:କାଉଡି ଯାତ୍ରା ମାର୍ଗରେ ଥିବା ଭୋଜନାଳୟ ଓ ଅନ୍ୟ ଫାଷ୍ଟଫୁଡ ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ବାଧ୍ୟ କରିପାରିବନି ପୋଲିସ କିମ୍ବା ପ୍ରଶାସନ । ଆଜି ଏହି ରାୟ ସହ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ସର୍ବୋଚ୍ଚ କୋର୍ଟରୁ ଝଟକା ଖାଇଛନ୍ତି । ଉଭୟ ସରକାର ଦ୍ବାରା ଜାରି ନିର୍ଦ୍ଦେଶରେ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଏହି ଆଦେଶକୁ କାର୍ଯ୍ୟକାରୀ ନକରିବାକୁ ଖଣ୍ଡପୀଠ କହିଛନ୍ତି ।
ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ହେଲେ କୌଣସି ପରିସ୍ଥିତିରେ ଦୋକାନୀଙ୍କୁ ସ୍ଥାନୀୟ ପୋଲିସ ଏପରି କରିବାକୁ ବାଧ୍ୟ କରିପାରିବ ନାହିଁ କିମ୍ବା ରାଜ୍ୟ ସରକାର ପୋଲିସକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ଆଜି ଶୁଣାଣିରେ ସ୍ପଷ୍ଟ କରିଛନ୍ତି । କିଛି ସ୍ଥାନରେ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ପୋଲିସ ଓ ପ୍ରଶାସନ ଦୋକାନୀଙ୍କୁ ଏପରି କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ନାମ ଓ ଦୋକାନର ନାମ ସହ ବିକ୍ରେତାଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖିବାକୁ ମଧ୍ୟ ବାଧ୍ୟ କରାଯାଉଥିବା ଅଭିଯୋଗ ସହ ମାମଲା କୋର୍ଟରେ ପହଞ୍ଚିଥିଲା । ଆଜି କୋର୍ଟ ଏହି ରାୟ ସହ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ପ୍ରଥମେ ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିବା ପରେ ଏହାକୁ କିଛି ବର୍ଗ ସ୍ବାଗତ କରିଥିବା ବେଳେ ଅନ୍ୟ କିଛି ବିରୋଧ ମଧ୍ୟ କରିଥିଲେ । ଏକାଧିକ ସାମାଜିକ ସଂଗଠନ ଯୋଗୀ ସରକାରର ଏହି ନିଷ୍ପତ୍ତିକୁ ଧାର୍ମିକ ଭେଦଭାବ ସୃଷ୍ଟିକାରୀ ଓ ସାମାଜିକ ସଂହତି ନଷ୍ଟ କରିବା ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ । ଏହା ପରେ ମାମଲା ସିଧା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲେ ।