ବେଙ୍ଗାଲୁରୁ:ନାବାଳିକା ଯୌନ ନିର୍ଯାତନା ମାମଲାରେ ସିଆଇଡି ଅଫିସରେ ହାଜର ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଦୁରପ୍ପା । ସ୍ବର ନମୁନା (voice sample) ସଂଗ୍ରହ ପାଇଁ ଗତକାଲି (ଶୁକ୍ରବାର) ସେ ବେଙ୍ଗାଲୁରୁର ପ୍ୟାଲେସ ରୋଡ ସ୍ଥିତ ସିଆଇଡି ଅଫିସରେ ହାଜର ହୋଇଥିଲେ । ସେଠାରେ ତଦନ୍ତକାରୀ ଅଧିକାରୀ ତାଙ୍କର ନମୁନା ସଂଗ୍ରହ କରିବା ପରେ ପଠାଇ ଦେଇଥିଲେ । କହିରଖୁଛୁ କି, ଗତ ମାସରେ ୟେଦୁରପ୍ପାଙ୍କ ବିରୋଧରେ ଏହି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।
ସମ୍ପୃକ୍ତ ନାବାଳିକାଙ୍କ ମାଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠା ନେତା ୟେଦୁରପ୍ପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ଫେବୃଆରୀ ୨ ତାରିଖ ଦିନ ୧୭ ବର୍ଷୀୟା ନାବାଳିକା ଜଣକ ଏକ ଠକେଇ ମାମଲାରେ ସହାୟତା ପାଇଁ ୟେଦୁରପ୍ପାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ୟେଦୁରପ୍ପା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହାର କିଛି ଭିଡିଓ ଏବଂ ଅଡିଓ ମଧ୍ୟ ସେ ପୋଲିସ ନିକଟରେ ଦାଖଲ କରିଥିଲେ । ଏହାପରେ ଗତ ମାର୍ଚ୍ଚ ୧୪ ତାରିଖ ଦିନ ସଦାଶିବନଗର ପୋଲିସ ପୋକ୍ସୋ ଆକ୍ଟ ଏବଂ ଆଇପିସିର ଧାରା ୩୫୪ (A)ରେ ୟେଦୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।