ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହା ମୋଦିଙ୍କ ଦ୍ବିତୀୟ ପାଳିରେ ଶେଷ ଥରର ମନ୍ତ୍ରୀ ପରିଷଦର ବୈଠକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଅନେକ ସମୟରେ ମନ୍ତ୍ରୀ ପରିଷଦ ବୈଠକ କରି କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ । ଆଗାମୀ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜିର ମନ୍ତ୍ରୀ ପରିଷଦ ବୈଠକ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ବ ବହନ କରୁଛି ।
ଲୋକସଭା ନିର୍ବାଚନ ତାରିଖ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏପ୍ରିଲ କିମ୍ବା ମେ ମାସରେ ହେବା ନେଇ ଅନୁମାନ କରାଯାଉଛି । ଏହା ପୂର୍ବରୁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଆଜି ନୂଆଦିଲ୍ଲୀର ଚାନକ୍ୟାପୁରୀ ଡିପ୍ଲୋମେଟିକ ଏନକ୍ଲେଭରେ ଥିବା ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ଗତ 5 ବର୍ଷରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇପାରେ ।