ନୂଆଦିଲ୍ଲୀ: 12ତମ ରୋଜଗାର ମେଳାରେ ଆଜି ଏକ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଯୁକ୍ତ ପତ୍ର ବାଣ୍ଟିବା ପରେ ନବନିଯୁକ୍ତଙ୍କୁ ସମ୍ବେଧନ କରିଥିଲେ ପ୍ରଧାନମନ୍ତ୍ରୀ । ଆପଣ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ସମସ୍ତ ନବ ନିଯୁକ୍ତ ଓ ସେମାନଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
'ଆମ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ':ଆମ ସରକାର ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିଛୁ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ''ଭାରତ ସରକାର ଯୁବକ ଓ ଯୁବତୀଙ୍କୁ ଚାକିରି ଦେବାର ଅଧିକାର ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ବ ସରକାରରେ ଚାକିରି ପାଇଁ ବିଜ୍ଞାପନଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ପ୍ରଦାନ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ । ଏହାର ସୁଯୋଗ ନେଇ ସେହି ସମୟରେ ଲାଞ୍ଚ କାରବାର ହେଉଥିଲା । ଆମ ସରକାର ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିଛୁ । କେବଳ ଏତିକି ନୁହେଁ, ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଆମ ସରକାର ଜୋର ଦେଉଛି। ଏହା ଦ୍ବାରା ପ୍ରତ୍ୟେକ ଯୁବକ ନିଜର ଦକ୍ଷତା ପ୍ରମାଣ କରିବାକୁ ସମାନ ସୁଯୋଗ ପାଇଛନ୍ତି । ଆଜି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କର ମନରେ ବିଶ୍ୱାସ ଅଛି ଯେ, ସେମାନେ ନିଜର କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ନିଜର ସ୍ଥାନ ସୃଷ୍ଟି କରିପାରିବେ ଓ ଚାକିରି ପାଇପାରିବେ । 2014 ପରଠାରୁ ଯୁବକମାନଙ୍କୁ ଭାରତ ସରକାରଙ୍କ ସହ ଯୋଡିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ଆମର ପ୍ରୟାସ। ''