ମୁମ୍ବାଇ:ପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଚାଲିଥିବା ଜାତୀୟ 'ପିଏମ ବିଶ୍ବକର୍ମା' ପଦର୍ଶନୀ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ମୋଦି । ଏହି ସମୟରେ ଷ୍ଟଲରେ ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ଦେଖିଥିଲେ । ନିଜ ଘରେ ପୂଜା କରିବା ପାଇଁ ଷ୍ଟଲରେ ଥିବା କର୍ମଚାରୀଙ୍କ ଠାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ସୁନ୍ଦର ପ୍ରତିମା କିଣିଥିଲେ । ଏହାସହ ପ୍ରତିମା କିଣିବା ପରେ ୟୁପିଆଇ (UPI) QR କୋଡ ବ୍ୟବହାର କରି ପେମେଣ୍ଟ ମଧ୍ୟ କରିଛନ୍ତି ।
ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ:
ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ମାସ ୧୭ ତାରିଖରେ ଆରମ୍ଭ ହୋଇଥିଲା "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା"। ତେବେ ଏହି ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ୱାର୍ଦ୍ଧା ଚାଲିଛି 'ପିଏମ ବିଶ୍ବକର୍ମା' ପଦର୍ଶନୀ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ୱାର୍ଦ୍ଧା ଗସ୍ତ କରି ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧ ଲକ୍ଷ ପିଏମ୍ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ଅବସରରେ କାରିଗରମାନଙ୍କ ଷ୍ଟଲ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏତିକି ବେଳେ ଗୋଟିଏ ଷ୍ଟଲରୁ ଜଣେ କାରିଗରଙ୍କ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଦେଖଥିଲେ । ମୋଦି କାରିଗରଙ୍କ ସହିତ ପ୍ରଥମେ କଥା ହେବା ପରେ ତାଙ୍କଠାରୁ ମହାପ୍ରଭୁ ଜଗନ୍ନାଥ. ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ପ୍ରତିମା କିଣିଥିଲେ । ଏହାସହ ପ୍ରତିମା ବାବଦକୁ ଟଙ୍କା କ୍ୟୁଆର କୋଡ୍ (QR Code) ସ୍କାନ୍ କରି UPI ମାଧ୍ୟମରେ ଡିଜିଟାଲ୍ପେମେଣ୍ଟ୍ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ ଏମାନେ ଥିଲେ ଉପସ୍ଥିତ:
ତେବେ ଆଜି ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ପଦର୍ଶନୀ ପରିଦର୍ଶନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାୱାର ଏବଂ ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।