ପାଟନା: ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ଉଠାଇନେଲା ପୋଲିସ । ବିହାର ପାଟନାର ଗାନ୍ଧି ମୈଦାନରେ ଆମରଣ ଅନଶନରେ ବସିଥିବା ପ୍ରଶାନ୍ତଙ୍କୁ ଆଜି(ସୋମବାର) ଭୋର ସମୟରୁ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ । ଏକ ଆମ୍ବୁଲାନ୍ସ ଯୋଗେ ପୋଲିସ ଫୋର୍ସ ତାଙ୍କୁ ନେଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ବିହାର ଲୋକସେବା ଆୟୋଗର ୭୦ତମ ପ୍ରିଲିମନାରୀ ପରୀକ୍ଷା ରଦ୍ଦ କରିବା ପାଇଁ ଦାବି କରି ଗତ ୫ ଦିନ ଧରି ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କ ସହ ଗାନ୍ଧି ମୈଦାନରେ ଅନସନରେ ବସିଥିଲେ ପ୍ରଶାନ୍ତ କିଶୋର । ସେପଟେ ପୋଲିସ ପ୍ରଶାନ୍ତଙ୍କୁ ନେବାବେଳେ ବିରୋଧ କରିଥିଲେ ସମର୍ଥକ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ଉଠାଇନେଲା ପୋଲିସ:
ବିହାର ଲୋକସେବା ଆୟୋଗ (BPSC)ର ପ୍ରିଲିମନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣିବା ସହ ପରୀକ୍ଷା ରଦ୍ଦ ଦାବି କରି ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନରେ ବସିଛନ୍ତି। ଏହାକୁ ସମର୍ଥନ କରି ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗତ ୫ ଦିନ ଧରି ପାଟନା ଗାନ୍ଧି ମୈଦାନରେ ପରୀକ୍ଷାର୍ଥୀଙ୍କ ସହ ଆମରଣ ଅନସନରେ ବସିଥିଲେ । ଆଜି ଭୋର ପ୍ରାୟ ୪ଟା ସମୟରେ ଗାନ୍ଧି ମୈଦାନରେ ପାଟଣା ପୋଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଉଠାଇ ନେଇଯାଇଛି। ପ୍ରଶାନ୍ତଙ୍କୁ ଉଠାଇ ନେବାବେଳେ ପାଖାପାଖି ୧୦ଟି ଥାନାର ପୋଲିସ ଗାନ୍ଧି ମୈଦାନରେ ଉପସ୍ଥିତ ଥିଲେ ।
ପ୍ରଶାନ୍ତଙ୍କୁ ପୋଲିସ ଚାପୁଡା ମାରିଥିବା ଅଭିଯୋଗ :
ପାଟନାରେ ପ୍ରବଳ ଥଣ୍ଡାରେ ପ୍ରଶାନ୍ତ କୁଶୋର BPSC ପରୀକ୍ଷାର୍ଥୀଙ୍କ ସହ ଖୋଲା ଆକାଶ ତଳେ ଆମରଣ ଅନଶନରେ ବସିଥିଲେ । ଆଜି ଭୋର ପାଖାପାଖି ୪ଟା ସମୟରେ ପ୍ରଶାନ୍ତଙ୍କୁ ନେବା ପାଇଁ ପୋଲିସ ଟିମ୍ ପହଞ୍ଚି ଥିବାବେଳେ ଏହାକୁ ପ୍ରଶାନ୍ତଙ୍କ ସମର୍ଥକ ବିରୋଧ କରିଥିଲେ । ସମର୍ଥକଙ୍କ କହିବା ଅନୁସାରେ, "ବିରୋଧ ସମୟରେ ଜଣେ ପୋଲିସ ଅଧିକାରୀ ପ୍ରଶାନ୍ତଙ୍କୁ ଚାପୁଡା ମାରିଥିଲେ । ଏହାସହ ପ୍ରଶାନ୍ତଙ୍କୁ ଆମ୍ବୁଲାନ୍ସରେ ବସାଇ ଗାନ୍ଧି ମୈଦାନକୁ ନେଇଯାଇଥିଲେ ।