ଜୟପୁର:ଜେଇଇ ମେନ-2024 ପରୀକ୍ଷାରେ ଓଡ଼ିଆ ପୁଅ ରାହୁଲ କୁମାର ସାହୁଙ୍କ କମାଲ । ରାହୁଲ ଅନୁଗୋଳ ଜିଲ୍ଲାର ହୋଇଥିବା ବେଳେ ରାଜସ୍ଥାନ କୋଟାରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେ ବିପିଏଲ ପରିବାରର ହୋଇଥିବା ବେଳେ ଦିନେ କମ ମାର୍କ ରଖୁଥିବାରୁ ପାଠ ଛାଡ଼ି ସ୍ବରାଜ୍ୟ ଫେରିଆସିବାକୁ ଚିନ୍ତା କରିଥିଲେ । ହେଲେ ଆଜି ସେ ଜେଇଇ ମେନ୍ ପରୀକ୍ଷାରେ 99 ପର୍ସେଣ୍ଟାଇଲ ସହିତ ଅଲ ଇଣ୍ଡିଆ ରାଙ୍କରେ 17873 ଓ ଓବିସି କ୍ୟାଟେଗୋରିରେ 4459 ରାଙ୍କ ହାସଲ କରିଛନ୍ତି ।
ଏବେ ରାହୁଲ ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାହୁଲଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେଉଁଥିରେ ସେ ଆର୍ଥିକ ଅଭାବ ଦେଇ ଗତି କରୁଥିବାରୁ ଓଡ଼ିଶା ଫେରିଆସିବାକୁ ମନସ୍ଥ କରିଥିଲେ । ହେଲେ କୋଟାରେ ସେ ଯେଉଁଠାରେ କୋଚିଂ ନେଉଥିଲେ, ସେଠାକାର ଶିକ୍ଷକମାନେ ତାଙ୍କ ପରିଶ୍ରମ କରି ପଢା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ରାହୁଲ ସେମାନଙ୍କୁ ନିରାଶ କରିନାହାନ୍ତି । ଏହି ଇଞ୍ଜିନିୟରଂ ପ୍ରବେଶିକ ପରୀକ୍ଷାରେ ଭଲ ରାଙ୍କ ରଖି ପରିବାର ଓ ଶିକ୍ଷକଙ୍କୁ ଗର୍ବିତ କରିଛନ୍ତି ।
କଣ କୁହନ୍ତି ରାହୁଲ:- ଏନେଇ ରାହୁଲ କହିଛନ୍ତି ଯେ ସେ ଜଣେ ବିପିଏଲ ପରିବାରର ପିଲା । ଇଞ୍ଜିନିୟର ହେବାର ସ୍ବପ୍ନ ଦେଖି ସେ କୋଟା ଆସିଥିଲେ । ତାଙ୍କର ଆର୍ଥିକ ଅଭାବ ଥିବାରୁ କୋଟାରେ 50 ପ୍ରତିଶତ ରିହାତି ନେଇ ଆଡମିଶନ କରିଥିଲେ । ହେଲେ କୋଚିଂ ସେଣ୍ଟରରେ ହେଉଥିବା ବେଳେ ପରୀକ୍ଷାରେ ତାଙ୍କର ପରୀକ୍ଷା ଫଳ କମ ରହୁଥିଲା । ଏହାପରେ ସେ ଫେରିଆସିବାକୁ ଚିନ୍ତା କରିଥିଲେ । ମାତ୍ର କୋଟାରେ ତାଙ୍କୁ ପାଠ ପଢାଉଥିବା ଶିକ୍ଷକମାନେ କାଉନସେଲିଂ କରିବା ସହ ରାହୁଲଙ୍କ ବାପାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏହାପରେ ପୁଣି ପୂର୍ବାପେକ୍ଷା ଅଧିକ କଠିନ ପରିଶ୍ରମ କରି ନିଜ ପ୍ରସ୍ତୁତିକୁ ଜୋରଦାର କରିଥିଲେ ରାହୁଲ ।