ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ଘାଟିରେ ପୁଣି ସାଧାରଣ ବାସିନ୍ଦାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଜଣେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଅଜଣା ଆତଙ୍କବାଦୀ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁଳିମାଡରେ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋପିଆନ ଜିଲ୍ଲାରେ ଆଜି ସଂଧ୍ୟାରେ ଏହି ଗୁଳିକଣ୍ଡ ଘଟିଛି । ଖବର ପାଇଁ ସେନା ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ଯବାନ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଦ୍ବାରା ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣେ ଅଣସ୍ଥାନୀୟ । ତାଙ୍କ ନାମ ପରମଜିତ ସିଂ ଓ ସେ ଦିଲ୍ଲୀର ବାସିନ୍ଦା । ସେ ସେଠାରେ ଜଣେ କ୍ୟାବ ଡ୍ରାଇଭର ଓ ଟ୍ୟୁରିଷ୍ଟ ଗାଇଡ ଭାବେ କାମ କରୁଥିଲେ । ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଉଥିଲେ । ଆଜି ସଂଧ୍ୟାରେ ସୋପିଆନ ଜିଲ୍ଲାରେ କିଛି ଅଜଣା ଆତଙ୍କବାଦୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଏକାଧିକ ରାଉଣ୍ଡର ଫାଏରିଂ ହୋଇଛି । ଏଥିରେ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଆତଙ୍କବାଦୀମାନେ ଗୁଳିମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ବ୍ୟାପକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଏରିଆକୁ କର୍ଡନ କରିଛନ୍ତି ।