ନୂଆଦିଲ୍ଲୀ:ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ବଡ ରାୟ ପ୍ରକାଶ କରିଛନ୍ତି । NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ସମ୍ପର୍କିତ ଦାଖଲ ହୋଇଥିବା ତିନୋଟି ଆବେଦନର ଏକକାଳୀନ ଶୁଣାଣି କରି ସୁପ୍ରମକୋର୍ଟ ଗ୍ରେସ ମାର୍କ ପ୍ରଦାନକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରିଛନ୍ତି । ଏହାସହ ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ସାନିପରୀକ୍ଷା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚଳିତମାସ 23 ତାରିଖରେ ପୁନଃପରୀକ୍ଷା କରିବାକୁ କେନ୍ଦ୍ର ସରକାର ତାରିଖ ଧାର୍ଯ୍ୟ କରିଛନ୍ତି । 23 ତାରିଖରେ ପରୀକ୍ଷା ଶେଷ କରି 30 ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବ କେନ୍ଦ୍ର ସରକାରଙ୍କ ଜାତୀୟ ପରୀକ୍ଷା ଏଜେନ୍ସି ‘ଏନଟିଏ’ । କେବଳ ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ଛାଡିଦେଲେ ଅନ୍ୟ କାଉନସିଲିଂ ପ୍ରକ୍ରିୟା ଜାରି ରହିବ ।
କ’ଣ ଥିଲା ଅଭିଯୋଗ:-
ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଶୁଣାଣି ବେଳେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଆସନ୍ତାମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି । ଆସନ୍ତାମାସ 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।