ବେଙ୍ଗାଲୁରୁ: ଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏଥିରେ ଅଂଶଗ୍ରହଣ ପ୍ରତିଶତ ବୃଦ୍ଧି କରିବା ଓ ମତଦାତାଙ୍କୁ ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବା ଦିଗରେ ଜାଗୃତ କରିବା ପାଇଁ ସରକାରୀ ସ୍ତରରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷ ଭାବେ ଗ୍ରାମାଞ୍ଚଳ ଓ ଶିକ୍ଷାହାର କମ ଥିବା ଅଞ୍ଚଳରେ ନିର୍ବାଚନରେ ମତାଧିକାର ପ୍ରତି ସେତେଟା ଜାଗୃତତା ନଥିବା ପରି ପ୍ରାୟତଃ ଦେଖାଯାଏ । ମାତ୍ର ଚଳିତଥର ସହରୀ ଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ନିରୁତ୍ସାହ ଦେଖିବାକୁ ମିଳିଛି ।
ଗତକାଲି ଶେଷ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ମିଳିଥିବା ତଥ୍ୟରୁ ଏବେ ଏହି ସୂଚନା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ସହରରେ ମାତ୍ର ପ୍ରାୟ 50 ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଆୟୋଗଙ୍କ ତଥ୍ୟ କହୁଛି । ଯାହା ସହରୀ ଭୋଟରଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଅଣଦେଖା କରିବା ପରି ସଙ୍କେତ ଆସୁଛି ।
ଗତକାଲି 2ୟ ପର୍ଯ୍ୟାୟରେ କର୍ଣ୍ଣାଟକର ମୋଟ 14 ଲୋକସଭା ଆସନରେ ମତଦାନ ଶେଷ ହୋଇଛି । ଏଥିରେ ରାଜ୍ୟର ସାମଗ୍ରିକ ଭୋଟିଂ ପ୍ରତିଶତ 69.23 ରେକର୍ଡ କରାଯାଇଛି । ମାତ୍ର ରାଜଧାନୀ ବେଙ୍ଗାଲୁରର 3 ଲୋକସଭା ଆସନରେ ଭୋଟିଂ ପ୍ରତିଶତ ଅପେକ୍ଷାକୃତ ଅଧିକ ନୈରାଶ୍ୟଜନକ ରହିଛି ।ବେଙ୍ଗାଲୁରୁ-କେନ୍ଦ୍ରୀୟ ଆସନରେ ମୋଟ 52.81 ଭୋଟିଂ ହୋଇଥିବା ବେଳେ ବେଙ୍ଗାଲୁରୁ-ଉତ୍ତରରେ 54.42 ପ୍ରତିଶତ,ବେଙ୍ଗାଲୁରୁ-ଦକ୍ଷିଣ ଆସନରେ 53.15 ଭୋଟିଂ ହୋଇଛି । ଏହି 3 ଆସନରେ ଭୋଟିଂ ହାର ପ୍ରାୟ 50 ପ୍ରତିଶତ ରହିଛି । ଅନ୍ୟପଟେ ବେଙ୍ଗାଲୁରୁ-ଗ୍ରାମୀଣ ଆସନରେ 67.29 ପ୍ରତିଶତ ଭୋଟିଂ ହୋଇଛି । ମାଣ୍ଡ୍ୟା ଓ କୋଲାର ଆସନରେ ଯଥାକ୍ରମେ 81.48 ପ୍ରତିଶତ ଓ 78.07 ପ୍ରତିଶତ ଭୋଟିଂ ହୋଇଛି ।