ଶିମଲା:ହିମାଚଳ ପ୍ରଦେଶରେ ଗତକାଲି ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପାର୍ଟି ହ୍ବିପକୁ ଉଲ୍ଲଂଘନ କରି ଭୋଟ ଦେଇଥିବା 6 କଂଗ୍ରେସ ବିଧାୟକଙ୍କୁ ଆଜି ବାଚସ୍ପତି ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ କରିଛନ୍ତି । ତେବେ ଏହି ବିଧାୟକଙ୍କୁ ପରୋକ୍ଷ ସମର୍ଥନ କରିବା ସହ ଏପରି ସ୍ଥିତି ସୃଷ୍ଟି ହେବା ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପତ୍ନୀ ତଥା ରାଜ୍ୟ ପିସିସି ସଭାନେତ୍ରୀ ପ୍ରତିଭା ସିଂ । ସେ କ୍ରସଭୋଟିଂ କରିଥିବା ବିଧାୟକଙ୍କୁ ସିଧାସଳଖ ନିନ୍ଦା କରିନାହନ୍ତି, କିମ୍ବା ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସଠିକ ବୋଲି ଦର୍ଶାଇ ନାହାନ୍ତି । ରାଜ୍ୟରେ ସ୍ଥିତି ଏପରି ହୋଇସାରିଥିଲା ଯେ, ବିଧାୟକମାନେ ନାରାଜ ହେବା ସ୍ବାଭାବିକ ଥିଲା ବୋଲି ପ୍ରତିଭା କହିଛନ୍ତି । ତେବେ ତାଙ୍କର ଏହି ବିରୋଧାଭାଷ ସଙ୍କେତ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ପ୍ରତି ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ଆଜି ପ୍ରତିଭା କହିଛନ୍ତି,‘‘ ରାଜ୍ୟରେ ସରକାର ଗଠନ ହେବାର ଗୋଟିଏ ବର୍ଷ ପୂରଣ ହୋଇସାରିଛି । ହେଲେ ଏହି ବର୍ଷେ ମଧ୍ୟରେ ବିଧାୟକମାନଙ୍କ ସମସ୍ୟା ଓ ସେମାନଙ୍କ ମତାମତ ଉପରେ ଗୁରୁତ୍ବ ଦିଆଯାଇନି । ଦଳରେ କିଛି ସମସ୍ୟା ନିଶ୍ଚିତ ଅଛି । ସେ ଏହା ବିଷୟରେ ପାର୍ଟି ଫୋରମରେ କହିସାରିଛନ୍ତି । ଯେତେବେଳେ ସେମାନଙ୍କ ମତାମତକୁ ବିଚାର କରାଯାଇନି, ସେମାନେ ନାରାଜ ହେବା ସ୍ବାଭାବିକ । ସେମାନଙ୍କ ସହ ପୂର୍ବରୁ କେବେ ଆଲୋଚନା ହୋଇଛି କି, ସମାନଙ୍କ ସମସ୍ୟା ସମାଧାନ କରାଯିବାକୁ ପ୍ରୟାସ ହୋଇଥିଲେ, ଆଜି ଏପ୍ରକାର ସମସ୍ୟା ସୃଷ୍ଟି ହୋଇନଥାନ୍ତା ।’’
ଏହା ମଧ୍ଯ ପଢ଼ନ୍ତୁ: ମହଙ୍ଗା ପଡ଼ିଲା କ୍ରସ୍ ଭୋଟିଂ: ହିମାଚଳରେ 6 କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କଲେ ବାଚସ୍ପତି