ନୂଆଦିଲ୍ଲୀ:ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ସକାଳୁ ସକାଳୁ ନୂଆଦିଲ୍ଲୀରେ ଇଡିର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଅର୍ଥ ହେରଫେର ମାମଲାରେ ତଦନ୍ତର ଏକ ଅଂଶ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡିତ ନେତାଙ୍କ ବାସଭବନରେ ଚଢ଼ାଉ କରିଛି ଇଡି । ଏଥିରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଏନଡି ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାନଙ୍କ ବସଭନରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମୁଦାୟ 10ଟି ଠିକଣାରେ ଏହି ରେଡ୍ କରାଯାଇଥିବା ସୂଚନା ରହିଛି ।
ଏହା ବ୍ୟତୀତ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାରଙ୍କ ବାସଭବନରେ ମଧ୍ୟ ଇଡି ରେଡ ଚାଲିଛି । ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ସକାଳ 10ଟା ସମୟରେ ମନ୍ତ୍ରୀ ଆତିଶୀଙ୍କ ପ୍ରେସମିଟ ରହିଥିବା ବେଳେ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ
ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତାଙ୍କ ଘରେ ଏହି ରେଡ କରାଯାଉଛି । ତେବେ ରେଡ ସମୟରେ କଣ ଜବତ କରାଯାଇଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ । ଅନ୍ୟପଟେ ବିଜେପି ନେତାଙ୍କ ନିର୍ଦ୍ଦେଶରେ ଆପ୍ ନେତାଙ୍କ ଉପରେ ଏକ ପ୍ରକାର ଚାପ ପକାଯାଉଥିବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି ।