ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ପାକିସ୍ତାନ । ପଡ଼ୋଶୀ ଦେଶ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ଯୁଦ୍ଧ ହାରିଯାଇଛନ୍ତି' । କେଜ୍ରିୱାଲଙ୍କୁ ଜେଲରୁ ମୁକୁଳିବା ଖବର ଏବେ ପାକିସ୍ତାନରେ ବି ଚର୍ଚ୍ଚାର ବିଷୟ ପାଲଟିଛି ।
ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥାର ଶିରୋନାମା ରହିଛି 'ମୋଦିଙ୍କ ବିରୋଧୀ କେଜ୍ରିୱାଲଙ୍କୁ ଭାରତର ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଛନ୍ତି ' । ଏପରିକି ପାକିସ୍ତାନର ନେତାମାନେ ମଧ୍ୟ ଏହାକୁ ମୋଦି ସରକାରଙ୍କ ହାର ବୋଲି କହିଛନ୍ତି । ପାକିସ୍ତାନର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି, "ମୋଦିଜୀ ପୁଣି ଆଉ ଏକ ଲଢେଇର ପରାଜିତ ହୋଇଛନ୍ତି । କେଜ୍ରିୱାଲ ଜେଲରୁ ମୁକୁଳି ଯାଇଛନ୍ତି । ଏହା ଭାରତ ପାଇଁ ଭଲ ଖବର ।" ଏପରିକି କେଜ୍ରିୱାଲ ଜେଲରୁ ବାହାରୁଥିବାର ଅନେକ ଖବର ସେୟାର କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଫୱାଦ ଭାରତରେ ନିର୍ବାଚନ ସମୟରେ ଏଭଳି ବୟାନବାଜି କରିଥିବାର ନଜିର ରହିଛି ।