ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପରିବାର ସମ୍ପର୍କରେ ବିରୋଧୀଙ୍କ କଟାକ୍ଷକୁ ନେଇ ନୂଆ ନିର୍ବାଚନୀ ପ୍ରୟୋଗ ଆରମ୍ଭ କରିଛି ଶାସକ ଦଳ ବିଜେପି । ଗତକାଲି ପାଟନାରେ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ କାର୍ଯ୍ୟକ୍ରମ ‘ଜନବିଶ୍ବାସ ରାଲି’ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ନେଇ ପ୍ରଶ୍ନ ଉଠାଇଥିଲେ । ଲାଲୁ ପ୍ରଧାନମନ୍ତ୍ରୀଙ୍କ ପରିବାର ନଥିବା କହିବା ସହ ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତ ହିନ୍ଦୁ ନୁହନ୍ତି ବୋଲି ମଧ୍ୟ କହିଥିଲେ । ଏହାକୁ ନେଇ ବିଜେପି ନେତମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଆଜି ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଟିପ୍ପଣୀକୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୋ ପରିବାର ଯୋଗୁଁ ବିରୋଧୀ ମୋତେ ଟାର୍ଗେଟ କରିଥିଲେ, କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ କହୁଛି ଯେ ମୁଁ ମୋଦିଙ୍କ ପରିବାର । ମୋ ଜୀବନ ଏକ ଖୋଲା ପୁସ୍ତକ ସଦୃଶ । ଦେଶବାସୀ ଏହା ବିଷୟରେ ଜାଣନ୍ତି । ମୁଁ ଯେତେବେଳେ ପିଲାଦିନେ ଘର ଛାଡିଥିଲି, ସେତେବେଳେ ମୁଁ ଏକ ସ୍ୱପ୍ନ ଦେଖିଥିଲି । ମୁଁ କେବଳ ଦେଶବାସୀଙ୍କ ପାଇଁ ବଞ୍ଚିବି । ଏହି ଦେଶର 140 କୋଟି ଦେଶବାସୀ ମୋର ପରିବାର, ଭାରତ ମୋର ପରିବାର ।’’
ବିରୋଧୀଙ୍କ ଏହି ଟିପ୍ପଣୀ ଓ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଉତ୍ତର କେବଳ ନିର୍ବାଚନୀ ସଭାମଞ୍ଚରେ ସୀମିତ ନାହିଁ । ଏହାକୁ ନେଇ ବିଜେପିର ବରିଷ୍ଠ ନେତାମାନେ ନିଜ ‘ଏକ୍ସ’ ହ୍ୟାଣ୍ଡଲର ବାୟୋରେ ମୋଦି ପରିବାର ବୋଲି ଲେଖିଛନ୍ତି । ପାର୍ଟି ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ନିଜ ବାୟୋରେ ‘ମୋଦି କା ପରିବାର’ ବୋଲି ଉଲ୍ଲେଖ କରିଛନ୍ତି । ତେବେ ବିଜେପିର ବିରୋଧୀଙ୍କୁ ଏହି ପ୍ରତିଉତ୍ତର ଏବେ ବ୍ୟାପକ ଅଭିଯାନ ହେବାକୁ ଯାଉଛି । ଦେଶବ୍ୟାପି ଦଳୀୟ କାର୍ଯ୍ୟକର୍ତ୍ତା ଏବେ ସୋସିଆଲ ମିଡିଆରେ ‘ମୋଦି କା ପରିବାର’ କ୍ୟାମ୍ପେନ ଆରମ୍ଭ କରିବାରେ ଲାଗିଲେଣି ।