କୋଲକାତା:ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁଟିଏମସିରୁ ଇସ୍ତଫା ଦେଲେ ସାଂସଦ ତଥା ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇ ଦେଇଛନ୍ତି । ମମତା ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ହେଲେ ଦଳ ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବା ମିମି, ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇନାହାନ୍ତି । ସେ ବାଚସ୍ପତି ଓମ ବିର୍ଲାଙ୍କୁ କୌଣସି ଇସ୍ତଫାପତ୍ର ପଠାଇନାହାନ୍ତି । ତେଣୁ ସେ କେବଳ ଦଳରୁ ଇସ୍ତଫା ଦେଉଥିବା ଚର୍ଚ୍ଚା ହେଉଛି ।
ଇସ୍ତଫା ଦେବା ପରେ ପଶ୍ଚିମବଙ୍ଗର ଯାଦବପୁର ସଂସଦୀୟ ଆସନରୁ ସାଂସଦ ଥିବା ମିମିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳରେ କିଛି ମତଭେଦ ରହିଛି । ସେହି କାରଣରୁ ସେ ଇସ୍ତଫା ଦେଇଛନ୍ତି । ମମତା ବାନାର୍ଜୀ ତାଙ୍କ ଇସ୍ତଫା ସ୍ବୀକାର ନକରିବା ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି । ସେ ଇସ୍ତଫା ଦେବା ପରେ ମଧ୍ୟ ରାଜନୀତି ଛାଡିବେନାହିଁ । ନେତା ନୁହେଁ କର୍ମୀ ଭାବେ କାମ କରିବେ ବୋଲି ମିମି କହିଛନ୍ତି । ହେଲେ କେଉଁ ପ୍ରସଙ୍ଗକୁ ନେଇ କିମ୍ବା କେଉଁ ଦଳୀୟ ନେତାଙ୍କ ସହ ତାଙ୍କର ମତଭେଦ ରହିଛି, ସେ ସମ୍ପର୍କରେ ମିମି ସ୍ପଷ୍ଟ କରିନାହାନ୍ତି । ସାଧାରଣ ନିର୍ବାଚନର ମାତ୍ର କେଇ ମାସ ପୂର୍ବରୁ ଏହି ଅଭିନେତ୍ରୀଙ୍କ ଇସ୍ତଫା ସମ୍ପର୍କରେ ତୃଣମୂଳ କଂଗ୍ରେସ ମଧ୍ୟ କିଛି ପ୍ରତିକ୍ରିୟା ଦେଇନି । ପ୍ରାଥମିକ ଭାବେ ପାର୍ଟି ସୁପ୍ରିମୋ ମମତା, ମିମିଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି । ତେଣୁ ଦଳ ମିମିଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ବୁଝାଇପାରେ ।