ଓଡିଶା

odisha

ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା - MCD Seals 13 Coaching Centres

By ETV Bharat Odisha Team

Published : Jul 29, 2024, 10:25 AM IST

UPSC ASPIRANT DEATH CASE: ଗତକାଲି ଅଘଟଣ ପରେ ଦିଲ୍ଲୀର ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଜାରି । 13 ସେଣ୍ଟର ହେଲା ସିଲ୍‌ । ଗତକାଲି ପ୍ରାଣ ହରାଇଥିଲେ 3 ଜଣ ୟୁପିଏସସି ଆଶାୟୀ । ଅଧିକ ପଢନ୍ତୁ

ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା
ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା (ETV Bharat Odisha)

ନୂଆଦିଲ୍ଲୀ: ଦିଲ୍ଲୀର ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ବର୍ଷା ପାଣିରେ ବୁଡି 3 ସିଭିଲ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ହେବା ପରେ ଆକ୍ସନମୋଡକୁ ଆସିଛି ଦିଲ୍ଲୀ ପ୍ରଶାସନ । ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ କରିବା ସହ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛି ଦିଲ୍ଲୀ ମହାନଗର ନିଗମର ଟିମ୍‌ । ବିଭିନ୍ନ ଅବ୍ୟବସ୍ଥା ଓ ନିୟମ ଖିଲାପ କରିଥିବା 13 କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରି ଦିଆଯାଇଛି ।

13 କୋଚିଂ ସେଣ୍ଟର ସିଲ:-

ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା (ETV Bharat Odisha)

ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ସବୁ କୋଚିଂ ସେଣ୍ଟରଗୁଡିକରେ ବିଲ୍ଡିଂ ରେଗୁଲେସନର ଉଲ୍ଲଂଘନ କରାଯାଇଥିବା ଯାଞ୍ଚ ବେଳେ ଜଣାପଡିଥିଲା । ଏମାନଙ୍କ ମଧ୍ୟରେ ଗୁରୁକୂଳ, ଚହଲ ଏକାଡେମୀ, ପ୍ଲୁଟସ ଏକାଡେମୀ ସମେତ ଅନ୍ୟ କେତେକ ଆଗଧାଡିର କୋଚିଂ ସେଣ୍ଟର ରହିଛି । ଏଗୁଡିକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ୍‌ କରାଯାଇଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ‘ଏମସିଡି’ ଅତିରିକ୍ତ କମିଶନର ତାରିକ ଥୋମାସ କହିଛନ୍ତି, ଗତକାଲି ଅଘଟଣ ପରେ ସରକାରଙ୍କ ନିର୍ଦ୍ଦେଶରେ ଏହି ଡ୍ରାଇଭ୍‌ ଆରମ୍ଭ ହୋଇଛି । ସମସ୍ତ କୋଚିଂ ସେଣ୍ଟରର ଭିତ୍ତିଭୂମି ଓ ଅନ୍ୟ ଜରୁରୀ ବ୍ୟବସ୍ଥା ସମୀକ୍ଷା କରାଯାଉଛି । ମହାନଗର ନିଗମ ଏହାକୁ ଗୁରୁତର ସହ ନେଇଛି । ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ ।

ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା (ETV Bharat odisha)

ଗତକାଲି ପ୍ରାଣ ହରାଇଥିଲେ 3 ଛାତ୍ରଛାତ୍ରୀ:-

ଗତକାଲି ରାଓ ଆଇଏଏସ ଷ୍ଟଡି ସେଣ୍ଟରରେ ଏହି ଅଘଟଣ ଘଟିଥିଲା । ବିଲ୍ଡିଂର ବେସମେଣ୍ଟରେ ହଠାତ ପ୍ରବଳ ବର୍ଷା ଫଳରେ ଡ୍ରେନ ପାଣି ଭରିଯିବାରୁ 3 ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିଲା । ବାୟୋମେଟ୍ରିକ ସିଙ୍ଗଲ ସିଷ୍ଟମ ବନ୍ଦ ହୋଇଯିବା କାରଣରୁ ସେମାନେ ବାହାରି ପାରିନଥିଲେ । ବେସମେଣ୍ଟରେ ଫସି ରହିଥିବା ବନ୍ୟାଜଳ ବୁଡି ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟ ଦୁଇ ଯୁବତୀ ଥିଲେ । ଏହାକୁ ନେଇ ସିଭିଲ ସର୍ଭିସ ପ୍ରସ୍ତୁତି କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । କୋଚିଂ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ରହିଛି । ହେଲେ କୋଚିଂ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରାଶାସନର ଅବହେଳାରୁ ଏପରି ଅଘଟଣ ଘଟିଥିବା ସେମାନେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-କୋଚିଂ ସେଣ୍ଟରରେ ପଶିଲା ଡ୍ରେନ ପାଣି, ଚାଲିଗଲା ୩ UPSC ଆଶାୟୀଙ୍କ ଜୀବନ - Flooding In Coaching Centre

ଏହି ଘଟଣା ପରେ ପ୍ରଶାସନ ଗତକାଲି ଠାରୁ ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଜାରି ରଖିଛି । ଏପର୍ଯ୍ୟନ୍ତ 13 କୋଚିଂ ସେଣ୍ଟର ସିଲ କରାଯାଇଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ଏହି ଅଘଟଣ ପରେ ସାରା ଦେଶରୁ ସିଭିଲ ସର୍ଭିସ ଓ ଅନ୍ୟ ନିଯୁକ୍ତି ପରୀକ୍ଷା ପ୍ରସ୍ତୁତି ପାଇଁ ରାଜଧାନୀ ଦିଲ୍ଲୀ ଆସୁଥିବା ହଜାର ହଜାର ଛାତ୍ରାଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details