କୋଲକାତା:ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପାଇଁ ଏବେ ଅଶାନ୍ତ ହୋଇପଡ଼ିଛି ପଡ଼ୋଶୀ ବାଂଲାଦେଶ । ବିଶ୍ବବିଦ୍ୟାଳୟରୁ ବାହାରିଥିବା ନିଆଁରେ ଏବେ ସାରା ଦେଶ ଜଳୁଛି । ଆଜି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଭଳି କଠିନ ପରିସ୍ଥିତିରେ ଯଦି କେହି ବାଂଲାଦେଶୀ ଏଠାରେ ଚିକିତ୍ସିତ ହେଉଛନ୍ତି କିମ୍ବା କୌଣସି ଭାରତୀୟ ସେଠାରେ ଫସି ରହିଛନ୍ତି ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ପଡ଼ୋଶୀ ରାଷ୍ଟ୍ରରେ ଏଭଳି ସ୍ଥିତି ଉପୁଜିଥିବାରୁ ଭାରତ ସରକାର ଏ ସମ୍ପର୍କରେ ଚିନ୍ତା କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ମମତା ।
କୋଲକାତାର ଏସପ୍ଲାନେଡ ନିକଟରେ ଏକ ମେଗା ରାଲିକୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ ବାଂଲାଦେଶ ଏକ ସ୍ବାଧୀନ ରାଷ୍ଟ୍ର । ସେ ଏ ସମ୍ପର୍କରେ ଅଧିକ କିଛି କହିବାକୁ ଚାହୁଁନାହାନ୍ତି । ଏ ସମ୍ପର୍କରେ ଭାରତ ସରକାର କହିବା ଉଚିତ ହେବ । ତେବେ ସେ ଗୋଟିଏ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଯାହା ସବୁ ଘଟୁଛି ସେ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ଅବଗତ ଅଛନ୍ତି । ଯଦି କେହି ଉଚ୍ଚ ଶିକ୍ଷା ପାଇଁ ବାଂଲାଦେଶ ଯାଇଛନ୍ତି କିମ୍ବା କୌଣସି ବାଂଲାଦେଶୀ ଏଠାକୁ ଚିକିତ୍ସା ପାଇଁ ଆସି ଫସି ଯାଇଛନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ।
'ବାଂଲାଦେଶୀଙ୍କୁ ଆଶ୍ରୟ ଦେବୁ'
ମମତା ଆହୁରି କହିଛନ୍ତି ଯେ ଯଦି କୌଣସି ଅସହାୟ ଆଶ୍ରୟ ପାଇଁ ପଶ୍ଚିମବଙ୍ଗର ସହାୟତା ଲୋଡ଼ିବ, ତେବେ ସରକାର ନିଶ୍ଚିତ ତାଙ୍କୁ ସହାୟ ହେବେ । କାରଣ ଏହା ହେଉଛି ମିଳିତ ଜାତିସଂଘର ନିୟମ । ଯଦି କୌଣସି ବ୍ୟକ୍ତି ଶରଣାର୍ଥୀ ପାଲଟେ, ତେବେ ସେ ତାର ପଡ଼ୋଶୀ ସ୍ଥାନରେ ନିଶ୍ଚିତ ସମ୍ମାନ ଯୋଗ୍ୟ । ପୂର୍ବରୁ ଆସାମରେ ଏକ ଦଙ୍ଗା ହୋଇଥିବା ବେଳେ ସେଠାରୁ ଅନେକ ଲୋକ ଆସି ଅଲିପୁରଦୁଆର ଠାରେ ଆଶ୍ରୟ ନେଇଥିଲେ । ସେହି ସମୟରେ ମଧ୍ୟ ମମତା ସେମାନଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ତେବେ ଏହା ଏକ ଅଲଗା ଦେଶର ପ୍ରସଙ୍ଗ ହୋଇଥିବାରୁ ରାଜ୍ୟ ସରକାର ନୁହେଁ, ବରଂ କେନ୍ଦ୍ର ସରକାର ଆଲୋଚନା କରିବେ ବୋଲି ସେ କହିଛନ୍ତି ।
କାହିଁକି ଅଶାନ୍ତ ବାଂଲାଦେଶ ?