ଓଡିଶା

odisha

By ETV Bharat Odisha Team

Published : May 29, 2024, 10:37 AM IST

ETV Bharat / bharat

2019ରେ କେଦାରନାଥ ଏବେ କନ୍ୟାକୁମାରୀ, ଧ୍ୟାନରେ ବସିବେ ମୋଦି - PM Modi To Visit Kanyakumari

PM Modi to meditate in Kanyakumari: ପୁଣି ଗୋରୁଆ ବସ୍ତ୍ରରେ ଧ୍ୟାନ ମଣ୍ଡପରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ଧ୍ୟାନର କାରଣ ଏବଂ କେଉଁ ତାରିଖରେ ବସିବେ ଧ୍ୟାନ...

PM Modi to meditate in Kanyakumari
PM Modi to meditate in Kanyakumari (ETV Bharat Odisha)

ହାଇଦ୍ରାବାଦ:ଲୋକସଭା ନିର୍ବାଚନ ପାଇଁ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ତେବେ ବିଭିନ୍ନ ରାଜନୈତିକ ଦଳ ଗଡ ଦଖଲ କରିବା ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ଶୀର୍ଷ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 30 ତାରିଖରେ ପ୍ରଚାର ଶେଷ ହେବାକୁ ବସିଥିବା ବେଳେ ତପସ୍ୟାରେ ବସିବେ ପ୍ରଧାନମନ୍ତ୍ରୀ । 2019 ନିର୍ବାଚନରେ କେଦାରନାଥରେ ତପସ୍ୟାରେ ବସିଥିବା ବେଳେ ଚଳିତଥର ବଦଳିଛି ମୋଦିଙ୍କ ଧ୍ୟାନ ସ୍ଥାନ । ନିର୍ବାଚନୀ ପ୍ରଚାର ସରୁସରୁ ଗତ ଥର ଭଳି ଚଳିତ ନିର୍ବାଚନ ସମୟରେ ମଧ୍ୟ 48 ଘଣ୍ଟା ତପସ୍ୟା କରିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ମେ 30 ତାରିଖରୁ ଜୁନ 1 ତାରିଖ ଯାଏଁ ଧ୍ୟାନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

କେଦାରନାଥରେ ମୋଦିଙ୍କ ଧ୍ୟାନ (ANI)

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀର ଧ୍ୟାନ ମଣ୍ଡପାମରେ ଧ୍ୟାନ କରିବେ । କହିରଖୁଛି କି, ମୋଦି ଧ୍ୟାନ କରିବା ପାଇଁ ସ୍ଥିର କରିଥିବା ସ୍ଥାନରେ ପୂର୍ବରୁ ସ୍ବାମୀ ବିବେକାନନ୍ଦ ଧ୍ୟାନରେ ବସିଥିଲେ । ଏଠାରେ ସ୍ୱାମୀ ବିବେକାନନ୍ଦ ଦେଶ ଭ୍ରମଣ କରିବା ପରେ ପହଞ୍ଚି ତିନି ଦିନ ଧ୍ୟାନ କରିଥିଲେ ଏବଂ ଏକ ବିକଶିତ ଭାରତର ସ୍ୱପ୍ନ ଦେଖିଥିଲେ ।

କେଦାରନାଥରେ ମୋଦିଙ୍କ ଧ୍ୟାନ (ANI)

ଏହା ମଧ୍ୟ ପଢନ୍ତୁ:୨୪ ବର୍ଷ ଧରି ଗାଳି ଶୁଣି ଶୁଣି ମୁଁ ଗାଳି ପ୍ରୁଫ ହୋଇଗଲିଣି: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ମୋଦି ମେ 30 ତାରିଖରୁ 1 ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତରେ ରହିବେ । ଆସ୍ଥାୟୀ କାର୍ଯ୍ୟସୂଚୀ ଅନୁସାରେ, ମୋଦି ଦ୍ବିପହର 3ଟା 55 ମିନିଟରେ କେରଳର ଥିରୁବନନ୍ତପୁରମ୍ ବିମାନବନ୍ଦରରୁ ଉଡାଣ ଭରିବେ । ଏହାପରେ ସେ ଆଇଏଏଫ ହେଲିକପ୍ଟର M-17ରେ ଯାଇ 4ଟା 35 ମିନିଟରେ କନ୍ୟାକୁମାରୀରେ ପହଞ୍ଚିବେ । ଧ୍ୟାନ ଶେଷ ହେବା ପରେ ଜୁନ 1 ତାରିଖ ଅପରାହ୍ନ 3ଟା 25 ମିନିଟ ସମୟରେ କନ୍ୟାକୁମାରୀ ହେଲିପ୍ୟାଡରୁ M-17 ହେଲିକପ୍ଟରରେ ବାହାରି 4ଟା 5 ମିନିଟ ସମୟରେ ଥିରୁଅନନ୍ତପୁରମ ଏୟାରପୋର୍ଟରେ ପହଞ୍ଚିବେ । ଏହାପରେ ସେଠାରୁ 4ଟା 10ରୁ ବାହାରି ସନ୍ଧ୍ୟା 7ଟା 30ରେ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ । କହିରଖୁଛି କି, ଦୁଇଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବା ପରେ ବର୍ତ୍ତମାନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 2019 ମସିହା ନିର୍ବାଚନ ସମୟରେ ଉତ୍ତରାଖଣ୍ଡ କେଦାରନାଥର ଏକ ପବିତ୍ର ଗୁମ୍ଫାରେ ଗେରୁଆ ବସ୍ତ୍ର ପରିଧାନ କରି ତପସ୍ୟା କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଦେଖିବାକୁ ବାକି ରହିଥିଲା କିପରି ରହିବ କନ୍ୟାକୁମାରୀରେ ମୋଦିଙ୍କ ତପସ୍ୟା ।

ABOUT THE AUTHOR

...view details