ଲକ୍ଷ୍ନୌ: ଆଜି ଶ୍ରୀ ରାମଲାଲାଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳୁଛି ରାମ ଜନ୍ମଭୂମି ଅଯୋଧ୍ୟା । ଗତବର୍ଷ (୨୦୨୪) ଜାନୁଆରୀ ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଏହି ବିଧିରେ ଅଂଶଗ୍ରହଣ କରିଥିଲେ । ତେବେ ତିଥି ଅନୁସାରେ, ଆଜି ଏକ ବର୍ଷ ପୂର୍ତ୍ତି ହେଉଥିବାରୁ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି । ଆଜି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଆଜି ରାମଲାଲାଙ୍କ ବିଶେଷ ନୀତିକାନ୍ତି ଓ ଶୃଙ୍ଗାର ସହ ପୂଜାର୍ଚ୍ଚନା କରାଯାଉଛି ।
- ଜାନୁଆରୀ ୧୧ କେମିତି ଓ କାହିଁକି
ଭାରତୀୟ ସଂସ୍କୃତିରେ ପ୍ରାୟ ସମସ୍ତ ପର୍ବପାର୍ବଣୀ ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ହିନ୍ଦୁ କ୍ୟାଲେଣ୍ଡର ତଥା ପାଞ୍ଜି ନିର୍ଦ୍ଧାରିତ ତିଥି ଅନୁସାରେ ପାଳନ କରାଯାଏ । ଯାହା ପୂର୍ବରୁ ନିର୍ଦ୍ଧାରିତ ରହିଥାଏ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଇଂରାଜୀ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୨୨ ତାରିଖରେ କରାଯାଇଥିଲା । ମାତ୍ର ତିଥି ଆଧାରରେ ଏହା ଥିଲା ‘ପୌଷ ଶୁକ୍ଳପକ୍ଷ ଦ୍ବାଦଶୀ ’। ଆଜି ହେଉଛି ସେହି ଦ୍ବାଦଶୀ ତିଥି ବା ‘କୁର୍ମ ଦ୍ବାଦଶୀ’ । ତେଣୁ ତିଥି ଆଧାରରେ ଆଜି ପ୍ରାଣ ପ୍ରତିଷ୍ଠାକୁ ଏକ ବର୍ଷ ପୂର୍ତ୍ତି ହେଉଛି । ବିଭିନ୍ନ ପଣ୍ଡିତ ଓ ସନ୍ଥଙ୍କ ପରାମର୍ଶ କ୍ରମେ ତଥି ଆଧାରରେ ଆଜି ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ଦିର ପ୍ରଧାନ ପୂଜକ କହିଛନ୍ତି ।
- ବାର୍ଷିକ ଉତ୍ସବର ନାମ ରଖାଗଲା ‘ପ୍ରତିଷ୍ଠା ଦ୍ବାଦଶୀ’
ରାମ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ‘ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଟ୍ବିଟ୍ ମାଧ୍ୟମରେ ଏହି ତଥ୍ୟ ପ୍ରକାଶ କରିଛି । କେଉଁ ଦିନ ବାର୍ଷିକ ଉତ୍ସବ ପାଳନ କରାଯିବା ସେନେଇ ପୁରୋହିତ ଓ ସନ୍ଥଙ୍କ ସହ ଆଲୋଚନା କରାଯିବା ପରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭାରତୀୟ ସଂସ୍କୃତିର ସମସ୍ତ ପର୍ବ ପର୍ବାଣୀ ହିନ୍ଦୁ କ୍ୟାଲେଣ୍ଡର ଆଧାରିତ । ତେଣୁ ପ୍ରତ୍ୟେକ ବର୍ଷ ‘ପୌଷ ଶୁକ୍ଳପକ୍ଷ ଦ୍ବାଦଶୀ’ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିବା ଟ୍ରଷ୍ଟ ସ୍ପଷ୍ଟ କରିଛି । ଏହି ବାର୍ଷିକ ଉତ୍ସବର ନାମ ରଖାଯାଇଛି ‘ପ୍ରତିଷ୍ଠା ଦ୍ବାଦଶୀ’ ।
प्रतिष्ठा द्वादशी के अवसर पर प्रभु का महाभिषेक तथा तत्पश्चात मंगल दर्शन
— Shri Ram Janmbhoomi Teerth Kshetra (@ShriRamTeerth) January 11, 2025
On the occasion of Pratishtha Dwadashi, the Maha Abhishek of Prabhu was performed, followed by His Mangal Darshan. pic.twitter.com/eCL0q3sC9P
ଏହା ମଧ୍ୟ ପଢନ୍ତୁ:- ତିରୁପତିରେ ଦଳାଚକଟା: 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଆହତ - STAMPEDE AT TIRUPATI ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା - PRAVASI BHARTIYA DIVAS |
- ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମନ୍ଦିର ପ୍ରକଳ୍ପ
ତେବେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗତ ବର୍ଷେ ହେବ ପୂଜାର୍ଚ୍ଚନା ଜାରି ରହିଛି । ମାତ୍ର ମନ୍ଦିର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି । ଆସନ୍ତାବର୍ଷ (୨୦୨୬) ସୁଦ୍ଧା ମନ୍ଦିର ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏବେ ବିଭିନ୍ନ ମଣ୍ଡପର କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ମୁଖ୍ୟ ମନ୍ଦିରର ଚୂଡା କାମ ଜାରି ରହିଛି । ସେହିପରି ମନ୍ଦିର ବେଢା, ପାର୍ଶ୍ବଦେବାଦେବୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଜାରି ରହିଛି । ୨୦୨୬ ସୁଦ୍ଧା ଏହି ଭବ୍ୟ ମନ୍ଦିର କମ୍ପଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ନିର୍ମାଣ କମିଟି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ