ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଆସାନସୋଲ ସଂସଦୀୟ ଆସନରୁ ବିଜେପି ଟିକେଟ ପାଇବା ପରେ ନିର୍ବାଚନ ଲଢିବାକୁ ମନା କରିଥିବା ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଅଭିନେତା ପବନ ସିଂ ଆଜି ଦିଲ୍ଲୀରେ ପାର୍ଟିମୁଖ୍ୟ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ନିର୍ବାଚନ ନଲଢିବା ନେଇ ଘୋଷଣା କରିବା ପରେ ପାର୍ଟି ତାଙ୍କୁ ଦିଲ୍ଲୀ ଡାକିଥିଲା । ତେବେ ଆଜି ପାର୍ଟି ମୁଖ୍ୟଙ୍କ ସହ ଆଲୋଚନା ପରେ ପବନ କହିଛନ୍ତି, ସେ ତାଙ୍କ ନିଷ୍ପତ୍ତି ନେଇ ପାର୍ଟି ମୁଖ୍ୟ ନଡ୍ଡାଙ୍କ ନିକଟରେ ମତାମତ ରଖିଛନ୍ତି । ଯାହା ନିଷ୍ପତ୍ତି ଗ୍ରହଣ ହେବ ଭଲ ହିଁ ହେବ । ଏ ସମ୍ପର୍କରେ ସେ ପରେ ଗଣମାଧ୍ୟମରେ ସ୍ପଷ୍ଟ କରିବେ ।
ପବନ ସିଂ ଆଜି (ସୋମବାର) ବିଜେପି ସଭାପତି ଜେ.ପି ନାଡାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ପରେ ପବନ ସିଂ ଗଣମାଧ୍ୟମରେ କହିଛନ୍ତି, ‘‘ମୁଁ ପାର୍ଟି ସଭାପତିଙ୍କ ସହ କଥା ହୋଇଛି । ମୁଁ ତାଙ୍କ ନିକଟରେ ମୋ ନିଷ୍ପତ୍ତି ସମ୍ପର୍କରେ ମତାମତ ଉପସ୍ଥାପନ କରିଛି । ଏହି ମାମଲାରେ ଯାହା କିଛି ସିଦ୍ଧାନ୍ତ ବାହାରିବ, ଆପଣଙ୍କୁ (ଗଣମାଧ୍ୟମକୁ) ଏହା ବିଷୟରେ ଅବଗତ କରାଯିବ ।’’
ସୂଚନା ଅନୁସାରେ,ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରରେ ଶାସନରେ ଥିବା ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭୋଜପୁରୀ ଅଭିନେତା ପବନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲରୁ ଟିକେଟ ଦିଆଯାଇଥିଲା । କିନ୍ତୁ ଟିକେଟ ଘୋଷଣାର ପରଦିନ (ଗତକାଲି) ପବନ ସିଂ ଆସାନସୋଲରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ । ଆଜି ସେ ଏହି ପ୍ରସଙ୍ଗରେ ବିଜେପି ସଭାପତି ଜେପି ନାଡାଙ୍କୁ ଭେଟି ନିଜ ନିଷ୍ପତ୍ତି ସମ୍ପର୍କରେ ମତ ରଖିଛନ୍ତି ।