ଥିରୁଅନନ୍ତପୁରମ:ଚର୍ଚ୍ଚାରେ କେରଳର ଯୁବ ଭୋଟର ଆଜିମ୍ । ତାଙ୍କ ଶରୀର 90 ପ୍ରତିଶତ ଅକ୍ଷମ । ଆଜି 2024 ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସେ ନିଜକୁ ସାମିଲ କରିଛନ୍ତି । ରାଜ୍ୟରେ 20 ଲୋକସଭା ଆସନ ଲାଗି ମତଦାନ ହୋଇଥିବା ବେଳେ ଶରୀର ଅକ୍ଷମତାକୁ ଖାତିର ନ କରି ସେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି । ହାତ ନଥିବା ବେଳେ ସେ ନାକ ସାହାଯ୍ୟରେ ଭୋଟ ଦେଇ ଗୋଡ଼ର ବୁଢା ଆଙ୍ଗୁଠିରେ କାଳି ଲଗାଇଛନ୍ତି । କେରଳର କୋଝିକୋଡ଼ ଜିଲ୍ଲା ଭେଲିମନ୍ନାରେ ସେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
ଆଜିମ୍ ଭେଲିମନ୍ନାର ସରକାରୀ ୟୁପି ସ୍କୁଲର 43ତମ ବୁଥରେ ମତଦାନ କରିଛନ୍ତି । ଆଜିମ୍ଙ୍କ ଗୋଡ଼, ଦାନ୍ତ ଓ ପାଟି ସାଧାରଣ ଆକାରର ହୋଇନଥିବା ବେଳେ ତାଙ୍କୁ ଶ୍ରବଣ ସମସ୍ୟା ମଧ୍ୟ ରହିଛି । କିନ୍ତୁ ଚଳିତ ବର୍ଷ ସେ 18 ବର୍ଷରେ ପଦାର୍ପଣ କରି ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହେବା ପରେ ନିଜ ମେଡେନ ଭୋଟ୍ ଦେବା ପାଇଁ ପୋଲିଂ ବୁଥରେ ପହଞ୍ଚିଛନ୍ତି । ଆଜିମ୍ଙ୍କ ଶରୀର 90 ପ୍ରତିଶତ ଅକ୍ଷମ । ତାଙ୍କର ଦୁଇ ହାତ ନାହିଁ । ଏଣୁ ସେ ନାକ ସାହାଯ୍ୟରେ ଭୋଟ ଦେଇଛନ୍ତି । ଏହାପରେ ଭୋଟ୍ ଦେଇଥିବା ପ୍ରମାଣ ସ୍ବରୂପ ହାତରେ ଲଗାଯାଉଥିବା କାଳିକୁ ସେ ଗୋଡ଼ର ବୁଢା ଆଙ୍ଗୁଠିରେ ଲଗାଇଥିବା ଦେଖିବାକୁ ମିଳିଛି ।
ଭୋଟ ଦେଇପାରିଲେନି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ:-କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପ୍ରମୁଖ ଶାସନ ସଚିବ କେ.ଏମ ଆବ୍ରାହମ ନିଜ ମତଦାନ ସାବ୍ୟସ୍ତ କରିପାରିନାହାନ୍ତି । ତାଙ୍କ କହିବାନୁସାରେ ଅନ୍ୟ ଜଣେ ମତଦାତାଙ୍କ ସମାନ ଭୋଟର ପ୍ରମାଣ ପତ୍ର ନମ୍ବର ରହିଥିବାରୁ ସେ ଭୋଟ ଦେଇପାରିନାହାନ୍ତି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପୁଜାପ୍ପୁରା ଏଲପି ସ୍କୁଲର 41 ନମ୍ବର ବୁଥରେ ସେ ମତଦାନ କରିବା ଲାଗି ପହଞ୍ଚିଥିଲେ । ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସେ ନିଜ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ । ହେଲେ ଅନ୍ୟ ଜଣେ ମହିଳାଙ୍କ ସମାନ ଭୋଟର ଆଇଡି ନଂ ଥିବାରୁ ତାଙ୍କୁ ଭୋଟ ଦେବାକୁ ବାରଣ କରାଯାଇଥିଲା ।